କନକବ୍ୟୁରୋ: କାଠଯୋଡ଼ି ପୋଲ ଉପରେ ମୋବାଇଲ୍‌ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁପଡିଲେ ଦୁଇ ସମ୍ପର୍କୀୟ। ଶୁକ୍ରବାର ସନ୍ଧ୍ୟାରେ କଟକ ବାରଙ୍ଗ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉଭୟ ପାଣିରେ ଭାସିଯାଇଛନ୍ତି। ନିଖୋଜ ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା ବୋଲି କୁହାଯାଉଛି। ପୋଲ ଉପରେ ପହଁଚିବା ପରେ ମୋବାଇଲ ଓ ଆଧାରକାର୍ଡ ରଖି ହଠାତ୍‌ ପୋଲରୁ ପାଣିକୁ ଡେଇଁଥିଲେ ଦୁଇ ଜଣ ।

Advertisment

ଉଭୟ ପାଣିକୁ ଡେଇଁବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ସେମାନେ କିଛି ଭାବିବା ପୂର୍ବରୁ ଅଘଟଣ ଘଟି ସାରିଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ପ୍ରଥମ ନୁହେଁ, କଟକର କାଠଯୋଡ଼ି ଓ ମହାନଦୀ ପୋଲ ଏବେ ସୁଇସାଇଡ ଜୋନ୍ ପାଲଟିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଏଠାରେ ଲଗାତାର ଭାବେ ନଦୀକୁ ଡେଇଁ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସିଲଭର ସିଟି ବାସୀଙ୍କ ମନରେ ଛନକା ପଶିଛି।