ରାଜଧାନୀରେ ଚାଞ୍ଚଲ୍ୟ : ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ! ଗର୍ଭ ନଷ୍ଟ ପାଇଁ ମିଳୁଛି ଧମକ

448

କନକ ବ୍ୟୁରୋ : ରାଜଧାନୀରେ ଚାଞ୍ଚଲ୍ୟ । ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ଆଉ ଏକ ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଜଣେ ଓଏଏସ୍ ଅଫିସରଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଓଏଏସ୍ ଅଫିସରଙ୍କ ଶ୍ୱଶୁର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ନାବାଳିକା ଗର୍ଭବତୀ ହୋଇଥିବା ବେଳେ ଗର୍ଭନଷ୍ଟ କରିବା ପାଇଁ ସରକାରୀ ବାବୁ ଜଣଙ୍କ ଲୋକ ପଠାଇ ଧମକଚମକ ଦେଉଥିବା ନେଇ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ପୀଡ଼ିତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ ପୋକ୍‌ସୋ ଦଫାରେ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ।

ଯାଜପୁର ପୋକ୍‌ସୋ କୋର୍ଟରେ ମଧ୍ୟ ବିଚାରପତିଙ୍କ ପାଖରେ ସିଆରପିସି ଧାରା-୧୬୪ ଅନୁଯାୟୀ ବୟାନ ରେକର୍ଡ କରାଯାଇଛି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକାଙ୍କର ଡାକ୍ତରୀମାଇନା କରାଯାଇଛି । କିନ୍ତୁ ଅଭିଯୋଗକୁ ଦୁଇଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଅନ୍ୟପକ୍ଷରେ ସରକାରୀ ବାବୁ ଜଣଙ୍କ ବେଶ୍ ପ୍ରଭାବଶାଳୀ ହୋଇଥିବା ବେଳେ ଧମକଚମକ ମିଳୁ ଥିବାରୁ ନାବାଳିକାଙ୍କ ପରିବାର ଭୟଭୀତ ଥିବା ପୁଲିସକୁ ଜଣାଇଛନ୍ତି । ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏ ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଅଭିଯୋଗରୁ ଜଣାପଡ଼ିଛି ଯେ ନାବାଳିକାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ବାଲିଚନ୍ଦ୍ରପୁର ଥାନା ନାନପୁର ଅଞ୍ଚଳରେ ସେମାନେ ରହି ଆସୁଛନ୍ତି। ନାବାଳିକାଙ୍କ ବାପା ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି । ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଭୁବନେଶ୍ୱରରେ କାମ କରାଇବା ପାଇଁ ତାଙ୍କ ମା’ଙ୍କୁ କହିଥିଲେ । ଖାଇବା, ରହିବା ସହ ମାସକୁ ୩ ହଜାର ଟଙ୍କା ମିଳିବ ବୋଲି ସେହି ବ୍ୟକ୍ତି ଜଣଙ୍କ କହିବା ପରେ ନାବାଳିକାଙ୍କ ମା’ ରାଜି ହୋଇଥିଲେ । ଭୁବନେଶ୍ୱରର ଶୈଳଶ୍ରୀବିହାର ଅଞ୍ଚଳରେ ରହୁଥିବା ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ଘରେ ନାବାଳିକା ଦୁଇ ବର୍ଷ ହେଲା କାମ କରୁଥିଲେ । ଦଶହରା ଛୁଟିରେ ସେ ଘରକୁ ଯାଇଥିଲେ। ଝିଅର ଶାରୀରିକ ଲକ୍ଷଣ ଦେଖି ତାଙ୍କ ମା’ଙ୍କର ସନ୍ଦେହ ହୋଇଥିଲା। ସେ କାରଣ ପଚାରିବାରୁ ନାବାଳିକା ସବୁ କଥା କହିଥିଲେ । ପ୍ରାୟ ୫/୬ ମାସ ହେଲା ଓଏଏସ୍ ଅଫିସରଙ୍କ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରୁଥିବା କହିଥିଲେ ।
ସବୁ ଦିନ ତାଙ୍କ ବେଡରୁମକୁ ଆସିବା ପାଇଁ ଧମକଚମକ ଦେଉଥିଲେ । ଏ କଥା କାହା ଆଗରେ ପ୍ରକାଶ କଲେ ତାଙ୍କ ସହ ପୂରା ପରିବାରକୁ ଜୀବନରୁ ମାରି ଦେବାକୁ ମଧ୍ୟ କହିଥିଲେ। ତେବେ ସେ ଡରିଯାଇଥିଲେ ବୋଲି ନାବାଳିକା ତାଙ୍କ ମା’ଙ୍କ ଆଗରେ କହିଥିଲେ । ଥାନାରେ ଅଭିଯୋଗ କରିବା ପୂର୍ବରୁ ଡାକ୍ତରଖାନା ଯାଇ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ପୀଡ଼ିତାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା ବାଲିଚନ୍ଦ୍ରପୁର ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପୀଡ଼ିତାଙ୍କ ବୟାନ ରେକର୍ଡ, ଡାକ୍ତରୀମାଇନା ଶେଷ ହୋଇଛି । ଖୁବ୍‌ଶୀଘ୍ର ଏକ ଟିମ୍ ଭୁବନେଶ୍ୱର ଯିବ ବୋଲି ସେ କହିଛନ୍ତି। ସେହିପରି ଡିସିପି ଉମାଶଙ୍କର ଦାଶ କହିଛନ୍ତି ତଦନ୍ତକାରୀ ଟିମ୍ ଯେଉଁ ସହୟତା ମାଗିବେ ତାଙ୍କୁ ସହଯୋଗ ଯୋଗାଇ ଦିଆଯିବ ।