ସାକିବ ପଚାରିଲେ ସେହୱାଗ କିଏ? ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲ, ୟୁଜର୍ସ ଦେଲେ କଡା ଜବାବ ।

473

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ନେଦରଲାଣ୍ଡସକୁ ହରାଇ ସୁପର-୮ ରେସରେ ରହିଛି ବାଂଲାଦେଶ । ସାକିବ ଅଲ ହାସନଙ୍କ ଦମଦାର ବ୍ୟାଟିଂ ବଳରେ ବାଂଲାଦେଶ ଏହି ବିଜୟ ହାସଲ କରିଛି । ଯେଉଁଥିପାଇଁ ସାକିବଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା । ତେବେ ଏହି ପୁରସ୍କାର ପାଇବା ପରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଉପରେ ବର୍ଷିଛନ୍ତି ସାକିବ ।

ଗତ କିଛିଦିନ ପୂର୍ବେ ସାକିବ ଅଲ ହାସନଙ୍କ ପ୍ରଦର୍ଶନକୁ ନେଇ ସମାଲୋଚନା କରିଥିଲେ ବୀରେନ୍ଦ୍ର ସେହୱାଗ । ଏପରିକି ସାକିବଙ୍କୁ ଅବସର ନେଇଯିବା ଉଚିତ୍ ବୋଲି କହିଥିଲେ ସେହୱାଗ । ଯାହା ସାକିବଙ୍କୁ ପସନ୍ଦ ଆସିନଥିଲା । ତେବେ ନେଦରଲାଣ୍ଡସ ବିପକ୍ଷରେ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ସାକିବ ମ୍ୟାଚ୍ ପରେ ସେହୱାଗ କିଏ ବୋଲି କହିଥିଲେ । ଏପରିକି ନିଜର ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ସେହୱାଗଙ୍କୁ ସମର୍ପିତ କରୁଛି, ଫଳରେ ସେ ନିଜ ଭାଷଣବାଜିରୁ ଅବସର ନେଇପାରିବେ ବୋଲି କହିଥିଲେ ସାକିବ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସାକିବଙ୍କୁ ଟ୍ରୋଲ ହେବାକୁ ପଡିଛି । ୟୁଜର୍ସ ମାନେ ୨୦୧୧ ବିଶ୍ୱକପ ମ୍ୟାଚ୍ କଥା ମନେ ପକାଇ ଦେଇଛନ୍ତି । ବାଂଲାଦେଶ ବିପକ୍ଷରେ ସେହୱାଗ କିଭଳି ବିଧ୍ୱଂସୀ ଇନିଂସ ଖେଳିଥିଲେ ତାହା ସେୟାର କରୁଛନ୍ତି ୟୁଜର୍ସ ।