ଶାହାଙ୍କ ଫୋକସରେ ପଶ୍ଚିମବଙ୍ଗ । ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ । ଭୋଟରଙ୍କୁ ନିର୍ବାଚନୀ ଥୋପ

65

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେତିକି ହିଂସା ବଢୁଛି ସେହି ପରିମାଣରେ ବିଜେପି ତାର ପ୍ରଭାବ ବିସ୍ତାର କରିଚାଲିଛି । ଏହି କ୍ରମରେ ପ୍ରତିମାସ ବିଜେପିର କେହି ନା କେହି ବରିଷ୍ଠ ନେତା ପଶ୍ଚିମବଙ୍ଗ ଗସ୍ତ କରି ଦଳକୁ ତୃଣମୂଳ ସ୍ଥରରୁ ମଜଭୂତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଗୁରୁବାର ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ପହଂଚିଛନ୍ତି ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହା । ସେ ପଶ୍ଚିମବଙ୍ଗରେ ପହଂଚିବା ପରେ ନାମଖାନା ଠାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି ।
ଏହି ସମ୍ବୋଧନ ସଭାରେ ଶାହା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଶାହା ମମତାଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଜୟ ଶ୍ରୀରାମ ନାରା କାହାକୁ ଯଦି ଅପମାନିତ କରୁଛି ସେଥିରେ ଆମର କିଛି କହିବାର ନାହିଁ , ଏହା ହେଉଛି ଆମ ଯାତ୍ରାର ପ୍ରତୀକ ବୋଲି କହି ଶ୍ରୀ ଶାହା ଜୟ ଶ୍ରୀରାମ ନାରା ଲଗାଇଥିଲେ । ଶାହା କହିଥିଲେ କି ଆମେ ସଂକଳ୍ପ କରୁଛୁ କି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ମୂଳପୋଛ କରିବୁ । ଆମର ଲକ୍ଷ୍ୟ ସରକାର ପରିବର୍ତ୍ତନ ନୁହେଁ, ବରଂ ଆମର ଲକ୍ଷ୍ୟ ଗରିବ ଜନତାଙ୍କ ସ୍ଥିତିରେ ସୁଧାର ଆଣିବୁ ବୋଲି ଶାହା କହିଛନ୍ତି । ପଶ୍ଚିମବଙ୍ଗରେ ମହିଳା ମାନଙ୍କ ସ୍ଥିତି ସଦୃଢ କରିବାକୁ ଆମ ସରକାର ଆସିଲେ ରାଜ୍ୟରେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ସାହା ନିର୍ବାଚନୀ ଥୋପ ମାରିଛନ୍ତି । ଏହାସହ ପୂର୍ବ ଗସ୍ତ ବେଳେ ଶାହା ଚାଷୀ ମାନଙ୍କ ଖାତାକୁ ୧୮ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିବା ବେଳେ ଆଜିର ରାଲିରେ ମତ୍ସଚାଷୀଙ୍କୁ ସାଧାରଣ ଚାଷୀଙ୍କ ଭଳି ବାର୍ଷିକ ୬ ହଜାର ଟଙ୍କାର ସହାୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି ।