କନକ ବ୍ୟୁରୋ: ଦିଲ୍ଲୀରେ ଅଟକିଛି ରାଜ୍ୟ ବିଜେପିର ଭାଗ୍ୟ । ଓଡ଼ିଶାର ବିଜେପି ଟିକେଟ୍ ନେଇ ରାତି ଅଧ ପର୍ଯ୍ୟନ୍ତ ବୈଠକ ହୋଇଛି । ଗତକାଲି ରାଜ୍ୟ ନେତୃତ୍ୱଙ୍କ ସହ ରାତି ଅଧ ପର୍ଯ୍ୟନ୍ତ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅମିତ ଶାହ ଆସନୱାରୀ ଆଲୋଚନା କରିବା ସହ ପ୍ରତି ନିର୍ବାଚନମଣ୍ଡଳୀର ସ୍ଥିତି ବୁଝିଥିବା ସୂଚନା ମିଳିଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୋମବାର ରାତି ୨ଟା ପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ନେତୃତ୍ୱ ।

Advertisment

ସେପଟେ ଆଜି ଦିଲ୍ଲୀରେ ବିଜେପିର ସିଇସି ଅର୍ଥାତ୍ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ଏଥିରେ ଓଡ଼ିଶା ସଂପର୍କରେ ଆଲୋଚନା ହୋଇପାରେ । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । କିନ୍ତୁ ୨୬୭ ଆସନ ମଧ୍ୟରୁ ଓଡିଶାର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ନଥିଲା । ତେଣୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡିଶାର କୌଣସି ନେତାଙ୍କ ନାଁ ଘୋଷଣା ହେଉଛି କି ଆହୁରି ବିଳମ୍ବ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।