ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ତାମିଲନାଡୁ ଚାମ୍ପିୟନ: ଛକା ମାରି ଦଳକୁ ବିଜେତା କରାଇଲେ ଶାହାରୁଖ ଖାନ

233

କନକ ବ୍ୟୁରୋ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୧ରେ ଚାମ୍ପିୟନ ହୋଇଛି ତାମିଲନାଡୁ । ଲଗାତାର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାତେଇଛି ତାମିଲନାଡୁ । ଦିଲ୍ଲୀରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ତାମିଲନାଡୁ ୪ ୱିକେଟରେ କର୍ଣ୍ଣାଟକକୁ ପରାସ୍ତ କରିଛି । ଏହି ମ୍ୟାଚରେ ଶେଷ ବଲରେ ଛକା ମାରି ଦଳକୁ ବିଜେତା କରାଇଥିଲେ ଶାହାରୁଖ ଖାନ ।

ଏହି ମ୍ୟାଚରେ ଶେଷ ଓଭରରେ ତାମିଲନାଡୁକୁ ଜିତିବାକୁ ୧୬ ରନ ଆବଶ୍ୟକତା ରହିଥିଲା । ପ୍ରଥମ ବଲରେ ସାଇ କିଶୋର ଚୌକା ମାରିବା ପରେ ଦ୍ୱିତୀୟ ବଲରେ ସିଙ୍ଗଲ ନେଇଥିଲେ । ଏହାପରେ ବୋଲର ଏକ ୱାଇଡ ବଲ ପକାଇଥିଲେ । ତୃତୀୟ ଆଉ ଚତୁର୍ଥ ବଲରେ ବ୍ୟାଟ୍ସମ୍ୟାନ ସିଙ୍ଗଲ ନେଇଥିଲେ ।

ଏହାପରେ ଆଉ ଏକ ୱାଇଡ ବଲ ପକାଇଥିଲେ ବୋଲର । ଏହାସହ ୨ଟି ବଲରେ ଏବେ ୭ ରନ ଆବଶ୍ୟକ ଥିଲା । ପଞ୍ଜମ ବଲରେ ଶାହାରୁଖ ଖାନ ଦୁଇ ରନ ନେଇଥିଲେ । ଫଳରେ ଶେଷ ବଲରେ ୫ ରନ ଆବଶ୍ୟକ ଥିଲା ବେଳେ ଶେଷ ବଲରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ ଶାହାରୁଖ ।