ସମୁଦ୍ର ଭିତରେ ରେବ୍ ପାର୍ଟି । ଶାହାରୁଖ ଖାନଙ୍କ ପୁଅକୁ ଏନସିବିର ପଚରାଉଚୁରା।

713

କନକ ବ୍ୟୁରୋ: ସମୁଦ୍ର ଭିତରେ ରେବ୍ ପାର୍ଟି ଆଉ ଅଧରାତିରେ ଏନସିବିର ଚଢାଉ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ହେଲେ ଏହାରି ଭିତରେ ଏହି ଘଟଣାରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି । ଏହି ରେବ୍ ପାର୍ଟିରେ ସାମିଲ ଥିଲେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ । ଏବେ ତାଙ୍କୁ ଏନସିବି ନିଜ ହେପାଜତରେ ରଖିଥିବାବେଳେ ତାଙ୍କୁ ପଚରା ଉଚୁରା କରୁଥିବା ଖବର ମିଳିଛି ।

ତେବେ ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କ କହିବା ମୁତାବକ, ସେ ଏହି ପାର୍ଟିକୁ ଗେଷ୍ଟ ସାଜି ଆସିଥିଲେ । ଏଥିପାଇଁ ତାଙ୍କୁ ନିମନ୍ତ୍ରଣା କରାଯାଇଥିଲା । ଏହି ପାର୍ଟିରେ ସାମିଲ ହେବାକୁ ସେ କୌଣସି ଟଙ୍କା ନେଇ ନଥିବା ଏନସିବିକୁ କହିଛନ୍ତି । ଏନସିବି ଜୋନାଲ ଡାଇରେକ୍ଟର ସମୀର ବାନଖେଡେଙ୍କ ସୂଚନା ମୁତାବକ, ଶାହାରୁଖଙ୍କ ପୁଅକୁ ଏପର୍ଯ୍ୟନ୍ତ ଏନସିବି ଗିରଫ କରିନି, କେବଳ ତାଙ୍କୁ ପଚରାଉଚୁରା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ରେବ୍ ପାର୍ଟି ହେଉଥିବା ବେଳେ ଏହା ଉପରେ ଚଢାଉ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏନସିବିର ଜୋନାଲ ଡାଇରେକ୍ଟର ସମୀର ବାନଖେଡେଙ୍କ ନେତୃତ୍ୱରେ ଏହି ଅପରେସନ କରାଯାଇଥିଲା । ତେବେ ପ୍ରଥମେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଏନସିବିର ଅଧିକାରୀମାନେ ଜାହାଜ ଭିତରେ ନିଜକୁ ଯାତ୍ରୀ ବୋଲି ପରିଚୟ ଦେଇ ପ୍ରବେଶ କରିଥିଲେ । ଏହାପରେ ଯେତେବେଳେ ଜାହାଜଟି ମଝି ସମୁଦ୍ରରେ ପହଞ୍ଚିଥିଲା, ସେତେବେଳେ ଜାହାଜ ଭିତରେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା । ନିଶାରେ ଝୁମିଥିଲେ ଯୁବକ ଓ ଯୁବତୀ । ଏହି ସମୟରେ ସ୍ରିକେଟ୍ ଅପରେସନରେ ଥିବା ଏନସିବି ଅଧିକାରୀମାନେ ଏହି ପାର୍ଟି ଉପରେ ଚଢାଉ କରିବା ସହିତ ସେହି ଲୋକମାନଙ୍କୁ ନିଜ ହେପାଜତକୁ ନେଇଥିଲେ ।

ମିଳିଥିବା ସୂଚନା ମୁତାବକ, ଏହି ଡ୍ରଗ୍ସ ପାର୍ଟିରେ ବହୁ ନାମୀଦାମୀ ହସ୍ତୀ ରହିଥିଲେ । ଏହା ଭିତରେ ବଲିଉଡ୍ ଅଭିନେତାଙ୍କ ପୁଅ ମଧ୍ୟ ସାମିଲ ଥିଲେ । ଏବେ ଜାହାଜଟିକୁ ମୁମ୍ବାଇ ଅଣାଯାଇଥିବାବେଳେ ସେଠାରେ ସାତରୁ ଆଠ ଜଣ ଲୋକଙ୍କୁ ଏନସିବି ନିଜ ହେପାଜତରେ ନେଇଛି । ତେବେ ଏହି ଅପରେସନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କାହିଁକି ପ୍ରଥମ କରି ଏନସିବି ଗୋଟିଏ ଜାହାଜ ଭିତରେ ସିକ୍ରେଟ୍ ଅପରେସନ କରି, ଏହି ଚଢାଉ କରିଛି । ଦିଲ୍ଲୀର ଏକ କମ୍ପାନୀ ଏହି ଡ୍ରଗ୍ସ ପାର୍ଟିର ଆୟୋଜନ କରୁଥିଲା । ଯେଉଁଥିରେ ସାମିଲ ହେବାକୁ ଯାତ୍ରୀଙ୍କୁ ଜଣ ପିଛା ୮୦ ହଜାର ଟଙ୍କା ଦେବାକୁ ପଡୁଥିଲା । ଏହି ପାର୍ଟି ସମୁଦ୍ର ଭିତରେ ଆରମ୍ଭ ହେଉଥିଲା ଆଉ ଦୁଇରୁ ତିନି ଦିନ ଧରି ଚାଲୁଥିଲା । ତେବେ ଏ ସମ୍ପର୍କରେ ସୂଚନା ପାଇବା ପରେ ଏନସିବି ଏହା ଉପରେ ତୁରନ୍ତ ଆକ୍ସନ ନେଇଛି ।