ଭୁବନେଶ୍ୱରରେ କିଙ୍ଗ୍ ଖାନ୍ । ହକି ବିଶ୍ୱକପ ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ଓଡିଶାରେ ପହଂଚିଲେ ଶାହରୁଖ୍

312

କନକ ବ୍ୟୁରୋ: ରାଜଧାନୀ ବଲିଉଡ କିଙ୍ଗ ଖାନ୍ । ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି ଭୁବନେଶ୍ୱରରେ ପହଂଚିଛନ୍ତି ଶାହରୁଖ ଖାନ୍ । ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍ ସହ ଚାଟାର୍ଡ ଫ୍ଲାଇଟରେ ଓଡ଼ିଶାରେ ପହଞ୍ଚିଛନ୍ତି ଶାହରୁଖ୍ । ଅପରାହ୍ନ ୫ଟା ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରିହର୍ସାଲ୍ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମରେ ଅଣାଯିବ ।

ତେବେ ରିହର୍ସାଲ୍ ପରେ ଭ୍ୟାନିଟ୍ ଭ୍ୟାନରେ ବିଶ୍ରାମ ନେବେ ଓ ଏହାପରେ ପ୍ରସ୍ତୁତ ହୋଇ ଉଦଘାଟନୀ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରି ସେଇ ଭ୍ୟାନିଟ୍ ଭ୍ୟାନ୍ ଯୋଗେ ବିମାନ ବନ୍ଦରକୁ ଯାଇ ଚାଟାର୍ଡ ଫ୍ଲାଇଟରେ ଫେରିଯିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ତେଣୁ ଓଡ଼ିଶାରେ ସେ କୌଣସି ହୋଟେଲରେ ରହିବେ ନାହିଁ । ଶାହରୁଖଙ୍କୁ ଦେଖିବା ପାଇଁ ଅନେକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ମଞ୍ଚ ଉପରେ ତାଙ୍କର ସରପ୍ରାଇଜ୍ ପ୍ରବେଶ ହେବ ।

ଶାହରୁଖଙ୍କୁ ବିରୋଧ କରିବନି କଳିଙ୍ଗ ସେନା

ହକି ବିଶ୍ବକପ୍ ଉଦଘାଟନୀରେ ଶାହରୁଖ୍ ଓଡ଼ିଶାକୁ ଆସୁଥିବା ସୂଚନା ପାଇବା ପରେ ‘କଳିଙ୍ଗ ସେନା’ ଶାହରୁଖଙ୍କୁ ବିରୋଧ କରିବ ବୋଲି ସୂଚନା ଦେଇଥିଲା । ‘ଅଶୋକା’ ଚଳଚ୍ଚିତ୍ରରେ ଓଡ଼ିଆଙ୍କୁ ଏବଂ ଓଡ଼ିଶାର ଇତିହାସକୁ ବିକୃତ କରିଥିବା ଅଭିଯୋଗ କରି ବିରୋଧ କରିବା ନେଇ ଘୋଷଣା କରିଥିଲା । ତେବେ ହକି ଇଣ୍ଡିଆ କର୍ତୃପକ୍ଷ ଏ ନେଇ କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥଙ୍କ ସହ ଆଲୋଚନା କରିଥିଲା । କର୍ତୃପକ୍ଷଙ୍କ ଅନୁରୋଧ ପରେ କଳିଙ୍ଗ ସେନା ବିରୋଧ ନକରିବାକୁ ନିଷ୍ପତ୍ତି ନେଇଛି ।