୪ବର୍ଷ ପରେ ବଡ ପରଦାକୁ ଫେରିଲେ ଶାହାରୁଖ ଖାନ୍, ବିବାଦ ଓ ବିରୋଧ ଭିତରେ ରିଲିଜ ହେଲା ଫିଲ୍ମ ‘ପଠାନ’

99

କନକ ବ୍ୟୁରୋ : ବୁଧବାର ସକାଳୁ ଦେଶର ବିଭିନ୍ନ ଥିଏଟର ଏଭଳି କିଛି ଦୃଶ୍ୟ କିଛି ଦେଖିବାକୁ ମିଳିଥିଲା । ଶୀତକୁ ଖାତିର ନକରି ହଲ ସାମ୍ନାରେ ଲାଗିଥିଲା ଦର୍ଶକଙ୍କ ଅସମ୍ଭବ ଭିଡ । ୪ବର୍ଷ ପରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି କିଙ୍ଗ ଖାନ୍ ଶାହାରୁଖ । ତେଣୁ ପ୍ରିୟ ଅଭିନେତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । କିଏ ପଠାନ ପାଇଁ ସ୍ୱତନ୍ତ୍ର ପୋଷାକ ପିନ୍ଧି ଶାହାରୁଖଙ୍କ ଚିୟର ଅପ କରିଛି ତ ପୁଣି କିଏ ବାଣ ଫୁଟାଇ ଖୁସି ପାଳିଛି । କେଉଁଠି ଆକାଶ ଛୁଆଁ କିଙ୍ଗ ଖାନଙ୍କ ପୋଷ୍ଟର ନିର୍ମାଣ କରାଯାଇଛି ତ ପୁଣି କେଉଁଠି ଅଭିନେତାଙ୍କ ଫଟୋ ଧରି ଥିଏଟରରେ ପହଁଚିଛନ୍ତି ପ୍ରଶଂସକ ।

ଗୋଟେ ପଟେ ପଠାନକୁ ଶାହାରୁଖଙ୍କ ପ୍ରଶଂସକ ଜୋରଦାର ସ୍ୱାଗତ କରୁଥିବାବେଳେ ଅନ୍ୟପଟେ ଫିଲ୍ମକୁ ଜୋରଦାର ବିରୋଧ ମଧ୍ୟ କରାଯାଉଛି । ବିଭିନ୍ନ ହିନ୍ଦୁ ସଂଗଠନ, ରାଜନୈତିକ ଦଳ ପଠାନକୁ ବିରୋଧ କରି ବିଭିନ୍ନ ଥିଏଟର ସମ୍ମୁଖରେ ହଙ୍ଗାମା କରୁଛନ୍ତି । କେଉଁଠି ଥିଏଟରୁ ହଟାଯାଉଛି ପଠାନର ପୋଷ୍ଟର ତ ପୁଣି କେଉଁଠି ଥିଏଟର ବାହାରେ ଚାଲିଛି ଭଙ୍ଗାରୁଜା । ପୋଡାଯାଉଛି ଶାହରୁଖ ଓ ଦିପୀକାଙ୍କ ଫଟୋ । ଯଜ୍ଞକୁଣ୍ଡରେ ଶାହାରୁଖଙ୍କ ଫଟୋ ପୋଡି ପଠାନକୁ ବିରୋଧ କରାଯାଇଛି । ଥିଏଟର ବାହାରେ ବିଭିନ୍ନ ହିନ୍ଦୁ ସଂଗଠନ ପ୍ରଦର୍ଶନ କରୁଛନ୍ତି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ ଜୋରଦାର ହଙ୍ଗାମା କରାଯାଇଛି ।

ଯେବେ ପଠାନର ପ୍ରଥମ ଗୀତ ବେସରମ ରଙ୍ଗ ରିଲିଜ ହେଲା ସେବେଠୁ ଦେଖାଦେଇଛି ବିବାଦ । ଗୀତରେ ଦୀପିକା ପରିଧାନ କରିଥିବା ଗେରୁଆ ରଙ୍ଗ ଓ ସ୍ପଳ୍ପ ପୋଷାକକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ଆପତି ପ୍ରକାଶ କରୁଛନ୍ତି । ସେପଟେ ସେନସନର ବୋର୍ଡର ନିର୍ଦ୍ଦେଶ କ୍ରମେ କିଛି ଆପତିଜନକ ଦୃଶ୍ୟ ହଟାଯାଇ ଏହାକୁ ରିଲିଜ କରାଯାଇଛି । ଗୋଟେ ପଟେ ବିବାଦ ଚାଲିଛି ଅନ୍ୟପଟେ ଦର୍ଶକଙ୍କ ଉପରେ ପଠାନର ବେଶ କ୍ରେଜ ମଧ୍ୟ ଦେଖିବାକୁ ମିଳୁଛି । ଏବେ ଅପେକ୍ଷା ଦେଖିବାକୁ ଆଗାମୀ ଦିନରେ ଶାହାରୁଖଙ୍କ ଏହି ଡ୍ରିମ ପ୍ରୋଜେକ୍ଟକୁ କେତେଦୂର ସଫଳତା ମିଳୁଛ ।