କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସାହିଦ ଆଫ୍ରିଦ ସବୁବେଳେ ଭାରତ ବିରୋଧରେ ମତ ଦେଇ ଚର୍ଚ୍ଚାରେ ରହିଥାନ୍ତି । କିଛିଦିନ ତଳେ ଭାରତକୁ ପାକିସ୍ତାନର ଶତ୍ରୁ ବୋଲି କହିଥିଲେ ଆଫ୍ରିଦ୍ । ଏବେ ଆତଙ୍କବାଦୀ ୟାସୀନ ମଲ୍ଲିକଙ୍କ ସମର୍ଥନରେ ଏକ ଟ୍ୱିଟ୍ କରିଛନ୍ତି ।
ଆଫ୍ରିଦ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ଭାରତ ଯେଭଳି ଭାବେ ମାନବାଧିକାର ଶୋଷଣ ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତିଙ୍କୁ ଚୁପ କରିବାକୁ ଚେଷ୍ଟା କରୁଛି ତାହା ସଫଳ ହେବ ନାହିଁ । ୟାସୀନ ମଲ୍ଲିକଙ୍କ ଉପରେ ଭାରତ ସରକାର ଯେଭଳି ମନଗଢା ଅଭିଯୋଗ ଆଣୁଛନ୍ତି ତାହା କାଶ୍ମୀରକୁ ସ୍ୱାଧୀନ କରିବା ପାଇଁ ଚାଲିଥିବା ସଂଘର୍ଷକୁ ଅଟକାଇ ପାରିବ ନାହିଁ । ଏହାସହ ସେ ତାଙ୍କ ଟ୍ୱିଟ୍ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ରକୁ ଅନୁରୋଧ କରି କାଶ୍ମୀର ନେତାଙ୍କ ଉପରେ ଭାରତ ସରକାର ଯେଉଁ ଅନ୍ୟାୟ କରୁଛନ୍ତି ତାହା ଉପରେ ନଜର ରଖିବାକୁ ଆଫ୍ରିଦ ଅନୁରୋଧ କରିଛନ୍ତି ।
India's continued attempts to silence critical voices against its blatant human right abuses are futile. Fabricated charges against #YasinMalik will not put a hold to #Kashmir's struggle to freedom. Urging the #UN to take notice of unfair & illegal trails against Kashmir leaders. pic.twitter.com/EEJV5jyzmN
— Shahid Afridi (@SAfridiOfficial) May 25, 2022
ସେପଟେ ଆଫ୍ରିଦଙ୍କ ଏଭଳି ଟ୍ୱିଟ ଉପରେ ଭାରତୀୟ କ୍ରିକେଟ ଟିମର ବୋଲର ଅମିତ୍ ମିଶ୍ରା କଡା ଜବାବ ଦେଇଛନ୍ତି । ଆଫ୍ରିଦଙ୍କ ଟ୍ୱିଟର ଯବାବ ଦେଇ ମିଶ୍ରା ଲେଖିଛନ୍ତି କି, ୟାସୀନ ମଲ୍ଲିକ କୋର୍ଟରୁମରେ ନିଜ ଦୋଷ ସ୍ୱୀକାର କରିସାରିଛନ୍ତି । ସିଧା ସଳଖ ଆଫ୍ରିଦଙ୍କୁ ଟାର୍ଗେଟ କରି ମିଶ୍ରା ଲେଖିଛନ୍ତି କି ‘ତୁମ ଜନ୍ମଦିନ ଭଳି ସବୁକିଛି ବିଭ୍ରାନ୍ତିକର ହୋଇପାରିବ ନାହିଁ’
Dear @safridiofficial he himself has pleaded guilty in court on record. Not everything is misleading like your birthdate. 🇮🇳🙏https://t.co/eSnFLiEd0z
— Amit Mishra (@MishiAmit) May 25, 2022
କହିରଖୁ କି ଏବେ ବି ସାହିଦ ଆଫ୍ରିଦ ନିଜ ବୟସକୁ ନେଇ ବିବାଦରେ ରହିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ମୁତାବକ ଆଫ୍ରିଦଙ୍କ ଜନ୍ମ ୧୯୮୦ ମାର୍ଚ୍ଚ ୧ ତାରିଖ । ଅର୍ଥାତ ଏବେ ତାଙ୍କର ବୟସ ୪୨ ବର୍ଷ । ହେଲେ ୨୦୧୯ ମସିହାରେ ଆଫ୍ରିଦ ଖୋଲାସା କରିଥିଲେ କି ୧୯୯୬ ମସିହାରେ ନୌରୋବୀ ଠାରେ ଶ୍ରୀଲଙ୍କା ବିରୋଧରେ ସେ ୩୭ ବଲରେ ରେକର୍ଡ ଶତକ ମାରିବ ବେଳେ ତାଙ୍କୁ ୧୬ ବର୍ଷ ହୋଇ ନଥିଲା ।