ଦୀପାବଳୀ ମିଠେଇ : ଦୀପାବଳୀ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ଦିଲ୍ଲୀର ପ୍ରସିଦ୍ଧ ମିଠେଇ ସାହି ଟୁକଡା ।

77

ଦୀପାବଳୀ ଅବସରରେ ଘରେ ଚାଖନ୍ତୁ ରେସ୍ତୋରାଁର ସ୍ୱାଦ । ଦିଲ୍ଲୀବାସୀଙ୍କୁ କିମିଆ କରିଥିବା ମିଠେଇ ପ୍ରସ୍ତୁତ କରନ୍ତୁ ନିଜ ହାଣ୍ଡିଶାଳରେ । ନିଜେ ଖାଆନ୍ତୁ ଏବଂ ସମସ୍ତଙ୍କୁ ଖୁଆନ୍ତୁ ପ୍ରସିଦ୍ଧ ସାହି ଟୁକଡା ।

ସାହି ଟୁକଡା :

ଚିନି – ୩ କପ୍ (୬୦୦ ଗ୍ରାମ୍)

ବ୍ରେଡ୍ – ୧୨ ରୁ ୧୫ ଟି

ଫୁଡକଲର୍

ଦେଶୀ କିମ୍ବା ଡାଲଡା ଘିଅ – ୬୦୦ ଗ୍ରାମ୍

ଫିଟିକରି ଗୁଣ୍ଡ – ୩ ଚୁଟକି

କ୍ଷୀର – ୧ ଲିଟର

ଖୁଆଗୁଣ୍ଡ – ୨୦୦ ଗ୍ରାମ୍

ଆରାରୁଡ୍ ପାଉଡର -୧/୨ କପ୍

କିଛି ରଙ୍ଗବେରଙ୍ଗ ଚେରି

ପ୍ରସ୍ତୁତି ବିଧି :

ଏକ ପାତ୍ରରେ ୩ କପ୍ ଚିନି ପକାଇ ଏଥିରେ ୧/୨ ଲିଟର ପାଣି ପକାନ୍ତୁ ଏବଂ ଏହି ମିଶ୍ରଣକୁ ଗ୍ୟାସରେ ଫୁଟାନ୍ତୁ । ୩୦ ମିନିଟ୍ ଫୁଟାଇ ସୀରା ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ ଫୁଡକଲର୍ ମିଶାନ୍ତୁ । ଏବେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ । ଥଣ୍ଡା ହେବା ପରେ ଏଥିରେ ତିନି ଚୁଟକି ଫିଟିକରି ଗୁଣ୍ଡ ମିଶାନ୍ତୁ । ଗୋଟିଏ ଥାଳିରେ ବ୍ରେଡ୍ ନିଅନ୍ତୁ । ବ୍ରେଡର ଚାରିପାଖେ ଥିବା କଳା ଅଂଶକୁ କାଟି ଦିଅନ୍ତୁ । ଏବେ ଏକ କରେଇରେ ୬୦୦ ଗ୍ରାମ୍ ଦେଶୀ କିମ୍ବା ଡାଲଡା ଘିଅ ନେଇ ଏହାକୁ ଗରମ କରନ୍ତୁ । ଘିଅ ବାଦାମୀ ରଙ୍ଗର ହୋଇଯିବା ପରେ ଏଥିରେ କଟା ବ୍ରେଡ୍ ପକାଇ ଛାଣନ୍ତୁ । ବ୍ରେଡ୍ ହାଲକା ବାଦାମୀ ରଙ୍ଗର ହୋଇଗଲା ପରେ ଏହାକୁ ବାହାର କରି ସୀରାରେ ପକାନ୍ତୁ । ଗୋଟିଏ କଥା ମନେରଖନ୍ତୁ ଘିଅରୁ ବ୍ରେଡ୍ କାଢିଥିବା ସମୟରେ ଯେଉଁ ଚାଲୁଣି ବ୍ୟବହାର କରୁଛନ୍ତି ଏହାକୁ ଆପଣ ସୀରାରେ ମିଶାଇପାରନ୍ତି କିନ୍ତୁ ସୀରା ଲାଗିଥିବା ଚାଲୁଣିକୁ ଘିଅରେ ପୁରାନ୍ତୁ ନାହିଁ ନଚେତ୍ ମିଠେଇ ଖରାପ ହୋଇଯିବ । ଏବେ ସୀରା ମିଶା ବ୍ରେଡକୁ ଥାଳିରେ ବିନା ଚିପି ଆରାମରେ ଦୁଇଟି ଲେଖାଁ ରଖିଦିଅନ୍ତୁ । ଏହାପରେ ଗୋଟିଏ ଉପରେ ଗୋଟିଏ ସବୁ ସୀରା ଲାଗିଥିବା ବ୍ରେଡକୁ ଥାଳିରେ ଭଲଭାବରେ ସେଟ୍ କରିଦିଅନ୍ତୁ । ଏହା ଉପରେ କିଛି ସୀରା ମଧ୍ୟ ପକାଇଦିଅନ୍ତୁ ।

ଏବେ ଗୋଟିଏ କରେଇରେ ଏକଲିଟର କ୍ଷୀର ଗରମ କରି ଫୁଟାନ୍ତୁ । କ୍ଷୀର ଫୁଟିବା ସମୟରେ ଏଥିରେ ଖୁଆଗୁଣ୍ଡ କରି ପକାନ୍ତୁ । ଖୁଆ ପକାଇବା ପୂର୍ବରୁ ଏହାକୁ ଥରେ ଚାଖିନିଅନ୍ତୁ ଯଦି ଖୁଆ ଖଙ୍କା ହେଲା ତାହେଲେ ଆପଣଙ୍କ କ୍ଷୀର ଫାଟିଯିବାର ସମ୍ଭାବନା ଅଛି । ଏକାଥରେ ନ ପକାଇ ଧିରେ ଧିରେ କ୍ଷୀରରେ ଖୁଆ ପକାନ୍ତୁ । ଏବେ ଗୋଟିଏ କପରେ ଅଧାକପ୍ ଆରାରୁଡ୍ ପାଉଡର ପକାନ୍ତୁ । ଏଥିରେ ଅଧାକପରୁ ଅଧିକ ପାଣି ଦିଅନ୍ତୁ ଏବଂ ଏହି ମିଶ୍ରଣକୁ ଭଲଭାବରେ ମିଶାନ୍ତୁ । ଏବେ କ୍ଷୀରରେ ଏହି ମିଶ୍ରଣକୁ ପକାନ୍ତୁ । ଏହି ମିଶ୍ରଣକୁ ଖୁବ୍ ଧ୍ୟାନର ସହ ଭଲଭାବରେ ଗୋଳାନ୍ତୁ । ଏହି ମିଶ୍ରଣ ମୋଟା ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଏହାପରେ ଥାଳିରେ ରଖିଥିବା ସୀରାଲଗା ବ୍ରେଡରେ ଏହି କ୍ଷୀରକୁ ପକାନ୍ତୁ । ଗ୍ୟାସରୁ ବାହାର କରିବା ପରେ ମଧ୍ୟ କ୍ଷୀରକୁ ଗୋଳାନ୍ତୁ ନହେଲେ କ୍ଷୀର ପତଳା ହୋଇଯିବାର ସମ୍ଭାବନା ଅଛି । ଏବେ ଗରମ କ୍ଷୀରକୁ ସୀରାଲଗା ବ୍ରେଡରେ ଭଲଭାବରେ ପକାଇବା ପରେ ଚାରିଆଡୁ ଏହି କ୍ଷୀରକୁ ଥାଳିକୁ ବୁଲାଇ ବୁଲାଇ ପକାନ୍ତୁ ଏବଂ ଏଥିରେ ଚାମଚ ଆଦୌ ମାରନ୍ତୁ ନାହିଁ । ଏବେ ଏଥିରେ ଚେରି କିମ୍ବା ବିଭିନ୍ନ ରଙ୍ଗର ଚେରି ଦାନା ପକାନ୍ତୁ । ଏହାକୁ ଫ୍ୟାନ୍ ତଳେ ୨ ଘଣ୍ଟା ଶୁଖିବାକୁ ରଖିଦିଅନ୍ତୁ । ଏଥିରେ ଏବେ ଚାନ୍ଦିର ଜରି ଲଗାଇଦିଅନ୍ତୁ । ଏବେ ଏହାକୁ ଆଉଥରେ କମ୍ ଆଞ୍ଚରେ ଚୁଲାରେ ବସାଇଦିଅନ୍ତୁ । ଏବେ ଏଥିରେ ପତଳା ଦେଶୀ ଘିଅ ଉପରୁ ପକାନ୍ତୁ । ଦେଶୀ ଘିଅ ମିଠେଇରେ ଚମକ ଆଣିଥାଏ । ଏହାପରେ ପ୍ରସ୍ତୁତ ହୋଇଗଲା ସୁସ୍ୱାଦୁ ସାହି ଟୁକଡା ।