କନକ ବ୍ୟୁରୋ: ଏଥର ଏସିଆ କପରେ ଚମକ୍ରାର ପ୍ରଦର୍ଶନ ଜାରି ରଖିଛି ପାକିସ୍ତାନ ଟିମ୍ । ଦଳର ବୋଲରମାନେ ଭୟଙ୍କର ବୋଲିଂ କରୁଥିବାବେଳେ, ବ୍ୟାଟ୍ସମ୍ୟାନ ମାନଙ୍କୁ ଅଡୁଆରେ ପକାଉଛନ୍ତି । ଖାସ୍ କରି...ପେସ୍ ବୋଲର ଶାହିନ ଆଫ୍ରିଦିଙ୍କ ବୋଲିଂ ବ୍ୟାଟ୍ସମ୍ୟାନ ମାନଙ୍କୁ ବଡ ଅସୁବିଧାରେ ପକାଉଥିବାବେଳେ । ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ୍ ତାଙ୍କ ଶିକାର ହେଇସାରିଲେଣି । ଆଉ ତା’ରି ଭିତରେ ସାହିନ୍ ଆଫ୍ରିଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଶୋଏବ ଅଖତାର ।

Advertisment

ପାକିସ୍ତାନ ଟିମର ରାୱଲପିଣ୍ଡି ଏକ୍ସପ୍ରେସ୍ କହିଛନ୍ତି – ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ମନରେ ଶାହିନ୍ ଆଫ୍ରିଦି ଭୟ ସୃଷ୍ଟି କରିସାରିଲେଣି । ଯେଉଁ କାରଣରୁ ରୋହିତ ତାଙ୍କ ବ୍ୟାଟିଂରେ ମଧ୍ୟ ପରିବର୍ତନ କରିଛନ୍ତି । ଗତ ଭାରତ-ପାକିସ୍ତାନ ମ୍ୟାଚରେ ରୋହିତ, ସାହିନଙ୍କ ବୋଲିଂରେ ତାଙ୍କ ଷ୍ଟାଣ୍ଡ ପରିବର୍ତନ କରିଥିବାବେଳେ, ଜଗି ରଖି ବ୍ୟାଟିଂ ମଧ୍ୟ କରିଥିଲେ । ଯାହାକି ତାଙ୍କ ମନର ଭୟକୁ ଦର୍ଶାଉଛି ।

ଶୋଏବ ଅଖତର କହିଛନ୍ତି - ଆମେ ଯେଉଁ ରୋହିତ ଶର୍ମାଙ୍କୁ ଏବେ ଦେଖୁଛେ, ସେ ପୂର୍ବର ରୋହିତ ଶର୍ମା ନୁହଁନ୍ତି । ସେ କେବେ ବି ତାଙ୍କ ଖେଳରେ ପରିବର୍ତନ କରନ୍ତିନି । ହେଲେ ଶାହିନଙ୍କ ପ୍ରତି ଭୟ ଯୋଗୁ ରୋହିତ ନିଜ ଖେଳରେ ପରିବର୍ତନ କରିଛନ୍ତି ବୋଲି ଶୋଏବ କହିଛନ୍ତି ।

ଆସନ୍ତା ରବିବାର ପୁଣିଥରେ ଏସିଆ କପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ପାଇଁ ଆସିଛି ଖୁସି ଖବର । ଯଦି ଏହି ମ୍ୟାଚ୍ ବର୍ଷା କାରଣରୁ ଧୋଇଯାଏ, ତେବେ ଏଥିପାଇଁ ରିଜର୍ଭ ଡେ ରଖାଯାଇଛି । ରବିବାର ମ୍ୟାଚ୍ ବର୍ଷା କାରଣରୁ ସମ୍ଭବ ନହେଲେ, ଭାରତ-ପାକିସ୍ତାନ ମ୍ୟାଚ୍ ସୋମବାର ମଧ୍ୟ ଦେଖିବାକୁ ମିଳିପାରେ ।

ଅନ୍ୟପଟେ ଭାରତୀୟ ଦଳକୁ ଫେରିଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ପାକିସ୍ତାନ ବିପକ୍ଷରେ ସେ ଦଳର ବୋଲିଂ ଦାୟିତ୍ୱ ସମ୍ଭାଳିବେ । ଗତ ନେପାଳ ବିପକ୍ଷ ମ୍ୟାଚ ସମୟରେ ବୁମରା ବ୍ୟକ୍ତିଗତ କାରଣରୁ ଦେଶକୁ ଫେରିଆସିଥିଲେ । ହେଲେ ଏବେ ସେ ପୁଣିଥରେ ଶ୍ରୀଲଙ୍କା ଫେରିବା ସହିତ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ବୋଲି ସୂଚନା ଦିଆଯାଇଛି ।

ବାସ....ଏବେ ସମସ୍ତଙ୍କର ଅପେକ୍ଷା ରବିବାରକୁ । କାହିଁକି ନା କ୍ରିକେଟ୍ ମୈଦାନରେ ପୁଣିଥରେ ମୁହାଁମୁହିଁ ହେବେ ଏହି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ସୁପର-୪ରେ ୧୨ ତାରିଖରେ ଶ୍ରୀଲଙ୍କା ଆଉ ୧୫ ତାରିଖରେ ବାଂଲାଦେଶକୁ ଭେଟିବ ।