ସହିଦଙ୍କ ବଳିଦାନକୁ କେବେ ବି ଭୁଲିବନି ଦେଶ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ସହିଦ ପ୍ରମୋଦଙ୍କୁ ଝୁରୁଛି ଗାଁ ମାଟି

95

କନକ ବ୍ୟୁରୋ : ସହିଦର ବଳିଦାନକୁ କେବେ ବି ଭୁଲି ହେବନି । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ରକ୍ତପଟ୍ଟା ଗାଁର ପ୍ରମୋଦ ପଟ୍ଟନାୟକ । ୧୯୯୯ରେ କାର୍ଗିଲ ଯୁଦ୍ଧ ଲଢେଇ ବେଳେ ଘାଟି ଉପରେ ଶତ୍ରୁର ମୁକାବିଲା ବେଳେ ଟଳି ପଡିଥିଲେ ପ୍ରମୋଦ । ଆଜି ବି ସହିଦ ପୁଅର ସ୍ମୃତିକୁ ଝୁରି ହେଉଛି ରକ୍ତପଟ୍ଟା ଗାଁ ।

୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧରେ ଲଢେଇ କରି ଦେଶ ପାଇଁ ବଳିଦାନ ଦେଇଥିଲେ ପ୍ରମୋଦ । ଆଜି ପରିବାର ଲୋକ ପୁଅର ବଳିଦାନ କଥା ମନକୁ ଆସିଲେ ଗର୍ବ କରନ୍ତି । ପୁଅ ମନେ ପଡିଗଲେ ମାଆ ମନ ବା ବୁଝିବ କେମିତି । ପଣତ କାନିରେ ସହିଦ ପୁଅର ଫଟୋକୁ ପୋଛି ଦେଇ ଲୁହ ଝରାଉଛନ୍ତି ପ୍ରମୋଦଙ୍କ ପରିବାର । ସେଦିନର କଥା ମନେ ପଡିଲେ ଆପେ ଆପେ ଆଖି ଓଦା ହୋଇ ଆସୁଛି । ସହିଦ ପ୍ରମୋଦଙ୍କ ବୃଦ୍ଧ ଦାଦା ଖୁଡି ଆଜି ବି ସହିଦ ପୁତୁରାର ଶେଷ ସ୍ମୃତିକୁ ସାଇତି ରଖିଛନ୍ତି । ଫଟୋ ଦୁଇଟି ହିଁ ସହିଦଙ୍କ ପରିବାର ପାଇଁ ଶେଷ ସମ୍ବଳ । ଯାହାକୁ ଦେଖାଇ ଗର୍ବ କରନ୍ତି ପରିବାର ଲୋକ, ଆମ ପୁଅ କାର୍ଗିଲ ଯୁଦ୍ଧ ଲଢିଛି, ଦେଶ ପାଇଁ ସହିଦ ହୋଇଛି ।

କାର୍ଗିଲ ଯୁଦ୍ଧରେ ବଳିଦାନର କଥା ଆସିଲେ ରକ୍ତପଟ୍ଟା ଗାଁର ପ୍ରମୋଦ ପଟ୍ଟନାୟକଙ୍କ ନାଁ ଚାଲି ଆସିଥାଏ ଆପେ ଆପେ । ଆଜି ବି ଅଂଚଳର ଯୁବପିଢୀଙ୍କୁ ସହିଦ ପ୍ରମୋଦଙ୍କ ବଳିଦାନ ପ୍ରେରଣା ଯୋଗାଉଛି । ଆଜି ବି ସହିଦ ପ୍ରମୋଦଙ୍କୁ ଝୁରୁଛନ୍ତି ଗ୍ରାମବାସୀ । ତାଙ୍କରି ସ୍ମୃତିରେ ଗାଁରେ ତିଆରି କରିଛନ୍ତି ସହିଦଙ୍କ ପ୍ରତିମୂର୍ତି । ଆଜି ବି ସମସ୍ତଙ୍କ ମନରେ ତାଜା ରହିଛି ସହିଦ ପ୍ରମୋଦଙ୍କ ସହିତ କାଟିଥିବା ସମୟ ସବୁ । କିପରି ଛୁଟି ହେଲେ ଗାଁକୁ ଆସନ୍ତି ପ୍ରମୋଦ । ଗାଁ ସାଙ୍ଗ ସାଥୀଙ୍କ ସହିତ ମିଶନ୍ତି, ଭୋଜିଭାତ ହୁଏ । ତାଙ୍କ ସହିତ ବିତାଇଥିବା ମିଠା ସ୍ମୃତିକୁ ମନେ ପକାଇ ଝୁରି ହେଉଛନ୍ତି ଗ୍ରାମବାସୀ ।

୧୯୯୯ ମସିହା ଅକ୍ଟୋବର ୧୨ ତାରିଖ । କାର୍ଗିଲ ଯୁଦ୍ଧରେ ସହିଦ ପ୍ରମୋଦଙ୍କ ବଳିଦାନର ତାରିଖ । ଆଜି ବି ସହିଦ ପ୍ରମୋଦ ପଟ୍ଟନାୟକଙ୍କ ଗାଁ ପୁରୀ ଜିଲ୍ଲା କଣାସ ବ୍ଲକର ରକ୍ତପଟ୍ଟା ସହିଦଙ୍କ ସ୍ମୃତିକୁ ଝୁରି ହେଉଛି ।