କନକ ବ୍ୟୁରୋ:
ପ୍ରେମର ବୟସ ଯେମିତି କହି ହୁଏନି
ଖୁସିର ଆୟୁଷ କେତେ ଜାଣି ବି ହୁଏନି
ସବୁ ପ୍ରେମ ସଫଳ ହୁଏନି କି ସବୁ ପ୍ରେମ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏନି
କିଛି ସମ୍ପର୍କ ଖୁସିର ଜୁଆର ନେଇ ଆସେ
ହେଲେ ତାହା ସବୁଦିନ ପାଇଁ ରୁହେନି...
ଅଜାଣତରେ ସମ୍ପର୍କର ସମୁଦ୍ରରେ କେତେବେଳେ ଭଟ୍ଟା ବି ଆସେ
ଆଖିର ବେଳାଭୂମି ଓଦାହୁଏ
ଛାତିରେ କୋହର କର୍ଫ୍ୟୁ ଜାରିହୁଏ
ଆଉ ନିଜେ ଜଳିଜଳି, ଅନ୍ୟକୁ ଭଲରେ ଅଛୁ ଦେଖାଇବାକୁ ଜାଣିଜାଣି ମିଛ ହସ ହସି ପ୍ରମାଣ ଦେବାକୁ ପଡେ...
ଏଇ ତ ଜୀବନ, ନୁହେଁ ତ ଆଉ କଣ...?

ନହେଲେ ନିଜ ବୀର ସ୍ୱାମୀଙ୍କ ସହିଦ କଥା କହିବା ବେଳେ ମିଛି ମିଛିକା ହସି ଆଖିରେ ଲୁହ ଆଣିନଥାନ୍ତେ ତାଙ୍କ ପତ୍ନୀ ସ୍ମୃତି ସିଂହ । ୮ ବର୍ଷର ଲମ୍ବା ପ୍ରେମ ସମ୍ପର୍କ, ତାପରେ ବାହାଘର, ବାହାଘରର ୨ ମାସ ପରେ ସିଆଚିନରେ ସ୍ୱାମୀଙ୍କ ପୋଷ୍ଟିଂ ଆଉ ବାହାଘରର ୫ ମାସ ପରେ ବିଧୁରା ଜୀବନ, ଦେହରେ ଧଳା ଶାଢୀ, ସିନ୍ଥି ଖାଲି ଖାଲି, ହାତ ଫୁଙ୍ଗୁଳା ଫୁଙ୍ଗୁଳା... ବେରଙ୍ଗ ଜୀବନ, ଅଧାଗଢା ସଂସାର । ନା ସ୍ୱପ୍ନ ପୂରା ହେଲା ନା ସମ୍ପର୍କକୁ ସ୍ଥାୟୀ କରିହେଲା । ୮ ବର୍ଷ ଦୂରରେ ରହି ପରିଶେଷରେ ପାଖରେ ପାଇବା ପରେ ପ୍ରେମକୁ ବି ଟିକେ ଭଲରେ ଭୋଗିବାକୁ ଦେଲାନି ଏ ନିଷ୍ଠୁର ସମୟ । ହାଏ କି ପୋଡା କପାଳ...

ଜୁଲାଇ ୫, ଶୁକ୍ରବାର । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସହିଦ କ୍ୟାପଟେନ୍ ଅଂଶୁମାନ ସିଂହଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ଯେଉଁ ସମ୍ମାନଜନକ ପୁରସ୍କାରକୁ ତାଙ୍କ ପତ୍ନୀ ସ୍ମୃତି ସିଂହ ଗ୍ରହଣ କରିଛନ୍ତି ।
ନିଜ ଦିବଙ୍ଗତ ସ୍ୱାମୀଙ୍କ ପାଇଁ ସମ୍ମାନଜନକ ପୁରସ୍କାର ଗ୍ରହଣ କରିବା ପରେ ନିଜ ସ୍ୱାମୀଙ୍କୁ ହିରୋ କହି ସେମାନଙ୍କ ପ୍ରେମ କାହାଣୀ କହିଛନ୍ତି ସ୍ମୃତି ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ତାଙ୍କ କାହାଣୀ ସମସ୍ତଙ୍କୁ କାନ୍ଦ କାନ୍ଦ କରାଉଛି ।

ତେବେ କଲେଜ ଦିନରୁ ହିଁ ସେମାନଙ୍କ ପ୍ରେମ । ଇଞ୍ଜିନିୟରିଂ କଲେଜର ପ୍ରଥମ ଦିନରେ ହିଁ ଦୁହେଁ ଦୁହିଁଙ୍କୁ ଭେଟିବା ପରେ ପ୍ରେମ ହୋଇଯାଇଥିଲା । ମାସେ ପରେ ଅଂଶୁମାନଙ୍କର ଆର୍ମଡ୍ ଫୋର୍ସସେସ୍ ମେଡିକାଲ କଲେଜକୁ ଚୟନ ହୋଇଥିଲା । ସେହି ପ୍ରଥମ ମାସ ହିଁ ସେମାନଙ୍କ ପ୍ରେମର ମୂଳଦୂଆ ଥିଲା ବାସ୍ ତାପରେ ୮ ବର୍ଷ ଲଙ୍ଗ୍ ଡିସଟାନ୍ସ ରିଲେସନସିପ୍... ଆଉ ତାରି ଭିତରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଲେ ଏବଂ ୨୦୨୩ ଫେବୃୟାରୀ ମାସରେ ହିଁ ବିବାହ କଲେ । ବାହାଘରର ୨ ମାସ ପରେ ଅଂଶୁମାନଙ୍କ ସିଆଚୀନରେ ପୋଷ୍ଟିଂ ହୋଇଥିଲା । ଆଉ ସେ ସେଠି ରହି ନିଜ ସଂସାରକୁ କେମିତି ଆଗକୁ ନେବେ ସ୍ୱପ୍ନ ଦେଖୁଥିଲେ ।

ଦୀର୍ଘ ବର୍ଷର ପ୍ରେମ ପରେ ବିବାହ ହୋଇଥିବାରୁ ପ୍ରେମକୁ ନେଇ ଏବଂ ନିଜ ଆଗାମୀ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିବା ସ୍ୱାଭାବିକ କଥା । ଜୁଲାଇ ୧୮ ତାରିଖରେ ସେମିତି କିଛି ସୁନେଇ ସ୍ୱପ୍ନ ଦେଖି ଫୋନରେ କଥା ହୋଇଥିଲେ ଅଂଶୁମାନ ଏବଂ ସ୍ମୃତି । ଆଗାମୀ ୫୦ ବର୍ଷ ଭିତରେ କେମିତି ହେବ ସେମାନଙ୍କ ସଂସାର- ଗୋଟେ ସ୍ୱପ୍ନର ଘର ତୋଳାହେବ, ପିଲାପିଲି ହେବେ ଏମିତି କେତେ କଣ... ହେଲେ ଜୁଲାଇ ୧୯ ତାରିଖରେ ଏକ ଫୋନ୍ କଲ୍ ତାଙ୍କ ସବୁ ସ୍ୱପ୍ନ ଭାଙ୍ଗିଦେଲା । ସ୍ୱାମୀ ସିଆଚୀନର ଏକ ଅଗ୍ନିକାଣ୍ଡରେ ଅନ୍ୟର ଜୀବନ ବଞ୍ଚଇବାକୁ ଯାଇ ନିଜେ ଜଳିପୋଡି ସହିଦ ହୋଇଥିବା ଖବର ପାଇଲେ । ଯାହା ତାଙ୍କୁ ବିଶ୍ୱାସ ହେଉନଥିଲେ ବି ଆଜି ବର୍ଷେ ପରେ ତାଙ୍କ ବୀରତ୍ୱର ସମ୍ମାନ ଧରିବା ପରେ ସେ ସତକୁ ସ୍ୱୀକାର କରିଛନ୍ତି... ସଂସାରକୁ ନେଇ ଦେଖାଯାଉଥିବା ସବୁ ସୁନେଲୀ ସ୍ୱପ୍ନ ସତ ହୁଏନି, କିଛି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ । ଠିକ୍ ଏଇ ଅଂଶୁମାନ-ସ୍ମୃତିଙ୍କ ସ୍ୱପ୍ନ ପରି... ସତରେ ଏ କାହାଣୀ ଅନେକ ଦମ୍ପତ୍ତିଙ୍କ ଆଖିରେ ଅଶ୍ରୁ ଆଣିଦେବ ।