କନକ ବ୍ୟୁରୋ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶହବାଜ ସରିଫ ଶପଥ ନେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ୱିଟର ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଆଉ ଏହାର ଜବାବ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶହବାଜ । ଟ୍ୱିଟ୍ କରି ଶହବାଜ କହିଛନ୍ତି, ଭାରତ ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛି ।

Advertisment

ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଶହବାଜଙ୍କୁ ଶୁଭେଚ୍ଛା । ଭାରତ ସବୁବେଳେ ଶାନ୍ତି ଓ ସ୍ଥ୍ିରତା ଚାହୁଁଛି । ଯାହାଦ୍ୱାରା ବିକାଶମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେଇହେବ ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ ।

ଏହାର ଜବାବରେ ଶହବାଜ ଟ୍ୱିଟ୍ କରି କହିଛନ୍ତି, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ । ପାକିସ୍ତାନ ବି ଭାରତ ସହ ଶାନ୍ତି ଓ ସୌହାଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଚାହୁଁଛି । ଅନେକ ପ୍ରସଙ୍ଗ ରହିଛି, ଯେଉଁଥିରେ କାଶ୍ମୀର ପ୍ରସଙ୍ଗ ବି ଅଛି । ଏହାର ଶାନ୍ତିପୂର୍ଣ୍ଣ ସମାଧାନ ନିହାତି ଜରୁରୀ । ଆତଙ୍କବାଦ ସହ ଲଢେଇ କରି ପାକିସ୍ତାନ ଯେଉଁ ତ୍ୟାଗ କରିଛି ତାହା ସମସ୍ତଙ୍କୁ ଜଣା । ଆମେ ଶାନ୍ତିକୁ ସୁନିଶ୍ଚିତ କରିବା ସହ ନିଜ ଲୋକଙ୍କ ସୁରକ୍ଷା ଓ ବିକାଶ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ତେବେ ଏହାପୂର୍ବରୁ କାଶ୍ମୀରକୁ ନେଇ ଶହବାଜ ଅନେକ ଥର ସାଂଘାତିକ ବୟାନ ଦେଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶହବାଜ କହିଥିଲେ, କାଶ୍ମୀର ପ୍ରସଙ୍ଗର ସମାଧାନ ନହେବା ଯାଏଁ ଭାରତ ସହ ଭଲ ଓ ଶାନ୍ତିପୂର୍ଣ୍ଣ ସମ୍ପର୍କ ସମ୍ଭବ ନୁହେଁ । ଆମେ କାଶ୍ମୀରବାସୀଙ୍କ ପାଇଁ ପ୍ରତିଟି ଫୋରମରେ ସ୍ୱର ଉଠାଇବୁ । କୂଟନୈତିକ ସମର୍ଥନ ଦେବୁ, ନୈତିକ ସମର୍ଥନ ବି ଦେବୁ । ଏହା ଆମର ହକ୍ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଶହବାଜ କହିଥିଲେ, ଆମ ରକ୍ତ ଗରମ ହୋଇ ଉଠୁଛି, କାଶ୍ମୀରକୁ ଆମେ ପାକିସ୍ତାନ ସହ ମିଶାଇବୁ ନିଶ୍ଚୟ ।