ଆସାମରେ ରାହୁଲଙ୍କୁ ଟାର୍ଗେଟ କଲେ ଅମିତ ଶାହ । କହିଲେ, ରାହୁଲଙ୍କ ଆସାମ ଗସ୍ତ ପିକନିକ୍ ସହ ସମାନ ।

111

କନକ ବ୍ୟୁରୋ: ଆସାମର ଧୀମାଜିରେ ଆୟୋଜିତ ରାଲିକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ । ଶାହା କହିଛନ୍ତି ରାହୁଲ ଗାନ୍ଧୀ ଆସାମ ଗସ୍ତ କରିବା ତାଙ୍କ ପାଇଁ ପିକନିକରେ ଆସିବ ସହ ସମାନ । କାରଣ କଂଗ୍ରେସ ଶାସନ ସମୟରେ ଏଠାରେ ଚା ବଗିଚାର ଶ୍ରମିକଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏହାସହ କଂଗ୍ରେସ ଶାସନ କାଳରେ ଆସାମରେ ହିଂସା,ଅପରାଧ ଓ ଅଶାନ୍ତି ଦେଖିବାକୁ ମିଳିଥିଲା । କିନ୍ତୁ ଗତ ୫ବର୍ଷ ହେବ ବିଜେପି ସରକାର ଆସିବା ପରଠୁ ରାଜ୍ୟ ବିକାଶ ପଥରେ ଆଗେଇଛି ।

ସେହିପରି ଆସାମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଜନସଭାକୁ ସମ୍ବୋଧିତ କରିଛନ୍ତି । ନଡ୍ଡା କହିଛନ୍ତି, ଆସାମରେ ବିଜେପି ସରକାର ଶାସନ ଭାର ସମ୍ଭାଳିବା ପରଠୁ ରାଜ୍ୟରେ ବିକାଶର ଧାରା ଆରମ୍ଭ ହୋଇଛି । ଅନ୍ୟପଟେ ଏହାରି ଭିତରେ ଆସାମରେ ରାଲି କରିଛନ୍ତି ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା କହିଛନ୍ତି, ବିଜେପି ଶାସନ କାଳରେ ଦେଶରେ ସବୁଠୁ ଅଧିକ ବେକାରୀ ସମସ୍ୟା ଦେଖାଦେଇଛି । ଆସାମରେ ଗରିବଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ।

ଏସବୁ ଭିତରେ କେରଳରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୋଚିରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ । କୋଚି ଥେରସା କଲେଜରେ ପହଁଚି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ । ଏଠାରେ ମଧ୍ୟ ବେକାରୀ ସମସ୍ୟା ନେଇ ସରକାରକୁ ଘେରିଛନ୍ତି ରାହୁଲ ଗାନ୍ଧୀ । କେରଳରେ ଏଲଡିଏଫ ଓ ଦିଲ୍ଲୀରେ କେନ୍ଦ୍ର ସରକାର ଯୁବପୀଢୀଙ୍କୁ ଚାକିରି ଦେବାରେ ବିଫଳ ହୋଇଥିବା କହିଛନ୍ତି ରାହୁଲ । କେରଳରେ ଜଣେ ଯୁବକ ଚାକିରୀ ପାଇବା ସ୍ୱପ୍ନ ସହ ସମାନ ବୋଲି କହିଛନ୍ତି ରାହୁଲ ।