ଏନସିବି ହେପାଜତରେ ରାତି କାଟିଲେ ଶାହାରୁଖ ଖାନଙ୍କ ପୁଅ ଆର୍‌ୟନ : ସାରାରାତି ଚାଲିଲା ଜେରା

ଜାମିନ ପାଇଁ ଆବେଦନ କରିବେ ତାଙ୍କ ଓକିଲ, ଦିନିକିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ; ଡ୍ରଗ୍ସ ପାର୍ଟି କରିବା ଅଭିଯୋଗରେ ଗିରଫ କରିଛି ଏନସିବି

275

କନକ ବ୍ୟୁରୋ : ଏନସିବି ଅଫିସରେ ରାତି କାଟିଲେ ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ । ସୂଚନା ଅନୁସାରେ ଆର୍‌ୟନଙ୍କୁ ରାତିରେ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି, ଏନସିବି ଅଧିକାରୀ । ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପରେ ପଚରାଉଚରା କରାଯାଇଛି । ତାଙ୍କ ସହ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଂଟଙ୍କୁ ମଧ୍ୟ ଏନସିବି ଅଧିକାରୀମାନେ ପଚରାଉଚରା କରିଛନ୍ତି । ସୂଚନା ଅନୁସାରେ ଆରୟନଙ୍କ ହ୍ୱାଟ୍ସଆପ ଚାଟରୁ ସେ ଡ୍ରଗ୍ସ ପେଡଲରଙ୍କ ସହ ଯୋଗଯୋଗରେ ଥିବା ଜଣାପଡିଛି ।

ତେବେ ସେ କେବଳ ଡ୍ରଗ୍ସ ବ୍ୟବହାର କରିଥିବା ପ୍ରାଥମିକ ପଚରାଉଚରାରୁ ଜଣାପଡିଛି । ଅନ୍ୟପଟେ ଆଜି ପୁଣି ଆରୟନଙ୍କ ଓକିଲ ଜାମିନ ଆବେଦନ କରିବେ ବୋଲି ସୂଚନା ଦେଇଛନ୍ତି । ଆର୍ୟନଙ୍କ ଓକିଲ ସତୀଶ ମାନସିନେ୍ଧ କହିଛନ୍ତି ଆରୟନ ନିଜ ତରଫରୁ କ୍ରୁଜ୍ ପାର୍ଟିକୁ ଯାଇନଥିଲେ । ତାଙ୍କ ପାଖରେ ପାର୍ଟିର ଟିକେଟ ବି ନଥିଲା । ତାଙ୍କୁ ପାର୍ଟିକୁ ଡକାଯାଇଥିଲା । ତାଙ୍କ ବ୍ୟାଗରୁ କିଛି ବି ମିଳିନାହିଁ । ତାଙ୍କ ଫୋନ ଚାଟରୁ ବି କିଛି ମିଳିନାହିଁ । ମୁମ୍ବାଇ ସମୁଦ୍ରରେ କ୍ରୁଜ ସିପରେ ଡ୍ରଗ୍ସ ପାର୍ଟି କରିବା ଅଭିଯୋଗରେ ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ଗିରଫ କରିଛି ଏନସିବି ବା ନାରକୋଟିକ୍ସ ଡ୍ରଗ୍ସ କଂଟ୍ରୋଲର ବ୍ୟୁରୋ । ମୁମ୍ବାଇରୁ ଗୋଆ ଅଭିମୁଖେ ବାହାରିଥିବା କ୍ରୁଜ ସିପରେ ଚାଲୁଥିବା ଡ୍ରଗ୍ସ ପାର୍ଟି ଉପରେ ଚଢାଉ କରି ଆରୟନଙ୍କ ସମେତ ୮ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା ଏନସିବି ।

କୌଣସି ସୂତ୍ରରୁ ସୂଚନା ପାଇଁ ଏନସିବି ଅଧିକାରୀମାନେ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ‌ୱା‌ଙ୍ଖଡେଙ୍କ ନେତୃତ୍ବରେ ଅନ୍ୟ ଅଧିକାରୀମାନେ ଶନିବାର ଯାତ୍ରୀ ବେଶରେ କ୍ରୁଜ୍‌ରେ ପ୍ରବେଶ କରିଥିଲେ।ଜାହାଜ ମୁମ୍ବାଇ ଉପକୂଳ ଛାଡ଼ିବାର କିଛି ସମୟ ମଧ୍ୟରେ ରେଭ୍‌ ପାର୍ଟି ଆରମ୍ଭ ହୋଇଯାଇଥିଲା। ଏହାପରେ ଏନସିବି ଅଧିକାରୀମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଥିଲେ। ଯେଉଁମାନେ ଖୋଲାଖୋଲି ନିଷିଦ୍ଧ ଡ୍ରଗ୍ସ ସେବନ କରୁଥିଲେ ସେମାନଙ୍କୁ ଏନସିବିର ଅଧିକାରୀମାନେ ଅଟକ ରଖିଥିଲେ । ଏନସିବିର ଏହି ଅଭିଯାନ ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା। ଜାହାଜର ଅନେକ ରୁମ୍‌କୁ ଯାଞ୍ଚ କରାଯାଇଥିଲା। ଚଢ଼ଉ ପରେ ଏମ୍ପ୍ରେସ ଜାହାଜ ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ୍ ଟର୍ମିନାଲକୁ ଫେରିଥିଲା । ଯାତ୍ରୀଙ୍କ ପାଇଁ ଟିକଟ ପିଛା ମୂଲ୍ୟ ୮୨ ହଜାର ଟଙ୍କା ଥିଲା ।

ଏନ୍‌ସିବି କହିଛି, ଗତ ୧୫ ଦିନ ହେଲା ସେମାନେ ଏହି ସମ୍ଭାବ୍ୟ ପାର୍ଟି ସମ୍ପର୍କରେ ଖବର ପାଇ ଜାଲ ବିଛାଇଥିଲେ । ଗତକାଲି ରାତିରେ ସେମାନେ ଯାତ୍ରୀଙ୍କ ଭଳି କ୍ରୁଜ୍‌ରେ ପ୍ରବେଶ କରି ଚଢ଼ଉ କରି ସଫଳ ହୋଇଛନ୍ତି । କ୍ରୁଜ୍‌ରେ ଚାଲିଥିବା ରେଭ୍‌ ପାର୍ଟିରେ ଦିଲ୍ଲୀର ୩ ଜଣ ଯୁବତୀଙ୍କ ସମେତ ୧୦ ଜଣ ସାମିଲ ଥିଲେ । ଏନ୍‌ସିବି ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଠାଇ ଆଣି ଗତକାଲି ଅପରାହ୍ନରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଆରୟନଙ୍କ ସହ ଅର୍ବାଜ୍‌ ମର୍ଚେଣ୍ଟ ଓ ମୁନ୍‌ମନ ଧମେଚାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ସେମାନଙ୍କୁ ପୁନର୍ବାର ଏନ୍‌ସିବି କାର୍ଯ୍ୟାଳୟକୁ ନିଆଯାଇଥିଲା ।