ବଢିଲା ଶାହାରୁଖ୍ ଖାନଙ୍କ ପୁଅର ରିମାଣ୍ଡ ଅବଧି । ଆରୟନ ଖାନଙ୍କୁ ୭ ଅକ୍ଟୋବର ଯାଏଁ ହେପାଜତକୁ ନେଲା ଏନସିବି ।

121

କନକ ବ୍ୟୁରୋ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ନାଁରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏନସିବିର ଜେରାବେଳେ ବଡ ଖୁଲାସା ହୋଇଛି । ଏନସିବିର କହିବା କଥା ହେଲା, ଆରୟନ ଫୋନରେ ଚମକାଇଦେଲା ଭଳି ଆପତ୍ତିଜନକ ତଥ୍ୟ ରଖିଥିଲେ ।

ରବିବାର ଗିରଫଦାରୀ ପରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏନସିବି ହେପାଜତରେ ରାତି ବିତାଇବାକୁ ପଡିଛି । ଏ ପର୍ଯ୍ୟନ୍ତ ସେ କେବଳ ନିଷିଦ୍ଧ ଡ୍ରଗ୍ସ ‘ଚରସ’ ସେବନ କରିଥିବା ଜଣାପଡିଛି । ତେବେ ସେ ଡ୍ରଗ୍ସ ରଖିଥିଲେ ନା ନାହିଁ ଏବଂ କେଉଁଠାରୁ ଆଣିଥିଲେ ଏସବୁ ବାବଦରେ ଖୋଳତାଡ କରିଛି ଏନସିବି । ଏନସିବିର ପଚରାଉଚରାବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି ।

  • ଆରୟନ ସ୍ୱୀକାର କରିଛନ୍ତି ସେ ଚାରିବର୍ଷ ହେଲା ଡ୍ରଗ୍ସ ସେବନ କରୁଥିଲେ
  • ହ୍ୱାଟସଅପ ଚାଟରେ ଡ୍ରଗ୍ସ ପାଇଁ ଟଙ୍କାର ନେଣଦେଣର ଖୁଲାସା ହୋଇଛି
  • ଆରୟନ ଡ୍ରଗସ ପେଡଲରଙ୍କ ସହ ସାଙ୍କେତିକ ଭାଷାରେ କଥା ହେଉଥିଲେ
  • ଫୋନରୁ ଆପତ୍ତିଜନକ ତଥ୍ୟ ମିଳିଛି

ତେବେ ଆରୟନକୁ ସୋମବାରଦିନ କୋର୍ଟକୁ ନେଲାବେଳେ ସେ ଅତି ଉଦାସ ଥିବା ଦେଖାଯାଉଥିଲେ । ହେଲେ ଏବେ ପ୍ରଶ୍ନ ଉଠୁଛି ଆରୟନ ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ମନ୍ନତରେ ଯାଞ୍ଚ ହେବ କି? ଏନସିବିର ସୁତ୍ର ଅନୁସାରେ, ଗିରଫ ପରେ ଏନଡିପିଏସ ଆଇନ ଆଧାରରେ ଅଭିଯୁକ୍ତଙ୍କ ଘରେ ସର୍ଚ୍ଚ ଅପରେସନ ହୋଇଥାଏ । ତେଣୁ ଅଧିକ ଖୋଳତାଡ ପାଇଁ ଏନସିବିି ମନ୍ନତରେ ସର୍ଚ୍ଚ ଅପରେସନ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଏନସିବିର ସୂଚନା ଅନୁସାରେ ଶାହାରୁଖ ଖାନ୍ ପୁଅ ଆରୟନ ସହ ଫୋନରେ କଥା ହୋଇଛନ୍ତି । ଆରୟନ ଗିରଫ ହେବା ପରେ ଏନସିବିର ଲ୍ୟାଣ୍ଡଲାଇନ୍ରେ କଥା ହୋଇଛନ୍ତି ଶାହାରୁଖ । ମାତ୍ର ଦୁଇ ମିନିଟ୍ ପାଇଁ ପୁଅ ସହ କଥା ହୋଇଥିଲେ । ଏହି ସମୟରେ ଆରୟନ ବହୁତ କାନ୍ଦି ଥିବା କୁହାଯାଉଛି । ତେବେ ଡ୍ରଗ୍ସ ସେବନ ମାମଲାରେ ଆରୟନକୁ ଲଗାତର ପଚରାଉଚରା କରଛିି ଏନସିବି । ଆରୟନ, ଅରବାଜ ମରଚାଣ୍ଟ ସମେତ ଅନ୍ୟ ଅଭିଯୁକ୍ତଙ୍କ ଫୋନ୍ ଜବତ କରି ମେସେଜର ଖୋଳତାଡ କରୁଛି ଏନସିବି ।

  • ଡ୍ରଗ୍ସ କାରବାରକୁ ୧୯୮୫ ଏନଡିପିଏସ ଆଇନରେ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି
  • ସ୍ମଲ କ୍ୱାଣ୍ଟିଟି ଅର୍ଥାତ ଅଳ୍ପ ପରିମାଣ, ଅଳ୍ପରୁ ଅଧିକ କିନ୍ତୁ ବ୍ୟବସାୟିକ ପରିମାଣରୁ କମ୍, ତୃତୀୟଟି କମର୍ସିଆଲ କ୍ୱାଣ୍ଟିଟି ଅର୍ଥାତ ବ୍ୟବସାୟିକ ପରିମାଣ
  • ସ୍ମଲ କ୍ୱାଣ୍ଟିଟିର ଡ୍ରଗ୍ସ ରଖିଥିଲେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ସହ ୨୦ ହଜାର ଟଙ୍କା ଜୋରିମାନା
  • ଅଳ୍ପରୁ ଅଧିକ କିନ୍ତୁ ବ୍ୟବସାୟିକ ପରିମାଣରୁ କମ୍ ଡ୍ରଗ୍ସ ଧରାପଡିଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧ ଲକ୍ଷ ଟଙ୍କା ଯାଏଁ ଜୋରିମାନା
  • କମର୍ସିଆଲ କ୍ୱାଣ୍ଟିଟି ପାଇଁ ୧୦ରୁ ୨୦ ବର୍ଷ ଜେଲ ସହ ୧ରୁ ୨ ଲକ୍ଷ ଯାଏଁ ଜୋରିମାନା ବ୍ୟବସ୍ଥା ରହିଛି । ଏବେ ଦେଖିବା କଥା ଏନସିବି ତଦନ୍ତ କେଉଁ ଆଡକୁ ଯାଉଛି ।