ମଝି ସମୁଦ୍ରରେ ଡ୍ରଗ୍ସ ପାର୍ଟି କରୁଥିଲେ ଜୁନିୟର କିଙ୍ଗ ଖାନ୍ । ଜାଣନ୍ତୁ କେମିତି ଖବର ପାଇଲା ଏନସିବି, କେମିତି କରାଗଲା ଚଢାଉ ।

208

କନକ ବ୍ୟୁରୋ : ମଝି ସମୁଦ୍ରରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଛନ୍ଦି ହୋଇପଡିଛନ୍ତି ବଲିଉଡ କିଙ୍ଗଖାନ୍ ଶାହାରୁଖଙ୍କ ବଡ ପୁଅ ଆର୍ୟନ । ମୁମ୍ବାଇ ସମୁଦ୍ରରେ ଚାଲିଥିବା ଏହି ହାଇପ୍ରୋଫାଇଲ ଡଗ୍ସ ପାର୍ଟିରେ ଚଢାଉ କରିଥିଲା ଏନସିବି । ମାମଲାରେ ଏନସିବି ଶାହାରୁଖଙ୍କ ପୁଅ ଆର୍ୟନ ସମେତ ମୋଟ୍ ୮ ଜଣଙ୍କୁ ଗିରଫ କରିଛି ।

ମଝି ସମୁଦ୍ରରେ ଡ୍ରଗ୍ସ ପାର୍ଟି । ଶାହାରୁଖଙ୍କ ପୁଅଙ୍କୁ ଗିରଫ କଲା ଏନସିବି । ମଝି ସମୁଦ୍ରରେ ଚାଲିଥିବା ରେଭ୍ ପାର୍ଟିରେ ଥିଲେ ଅଭିନେତା ଶାହାରୁଖଙ୍କ ପୁଅ ଆର୍ୟନ ଖାନ୍ । ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ସମେତ ମୋଟ୍ ୮ ଜଣ ଏନସିବି କବଜାରେ । ପଚରାଉଚରା ବେଳେ ଆର୍ୟନ କହିଛନ୍ତି ପାର୍ଟିରେ ତାଙ୍କୁ ଗେଷ୍ଟ ହିସାବରେ ଡକାଯାଇଥିଲା, ଏଥିରେ ସାମିଲ ହେବା ପାଇଁ ସେ କୌଣସି ଟଙ୍କା ନେଇନଥିଲେ । ଏଥିସହ ଆୟୋଜକ ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ପାର୍ଟିକୁ ଡାକିଥିଲେ ।

ଏନସିବି ଆର୍ୟନଙ୍କ ଫୋନକୁ ଜବତ କରି ଚାଟକୁ ନେଇ ଛାନଭିନ୍ ଚଳାଇଛି । ଏହି ମାମଲାରେ ଏନସିବି ୬ଜଣ ଆୟୋଜକଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡାକିଛି । ଫ୍ୟାସନ ଟିଭି ଇଣ୍ଡିଆର ଏମଡି କୌଶିକ ଖାନକୁ ମଧ୍ୟ ପଚରାଉଚରା ପାଇଁ ବି ଡକାଯାଇଛି । ପାର୍ଟିରେ ସାମିଲ ହେବା ପାଇଁ ଦିଲ୍ଲୀରୁ ଆସିଥିବା ୩ ଜଣ ଯୁବତୀକୁ ମଧ୍ୟ ପଚରାଉଚରା କରୁଛି ଏନସିବି ।

ମୁମ୍ବାଇ ସମୁଦ୍ରରେ ହାଇ ପ୍ରୋଫାଇଲ ଡଗ୍ସ ପାର୍ଟି ଚାଲିଥିବା ବେଳେ ହଠାତ୍ ଚଢାଉ କରିଥିଲା ଏନସିବି । ସିଆଇଏସଏଫଠୁ ସୂଚନା ମିଳିବା ପରେ ଏନସିବି ଆରମ୍ଭ କରିଦେଇଥିଲା ନିଜର ବଡ ଅପରେସନ୍ । କୋର୍ଡିଆଲ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ଯାତ୍ରୀ ବେଶରେ ଯାଇ ଚଢାଉ କରିଥିଲେ ଏନସିବି ଅଧିକାରୀ । ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ଏକ ଜାହାଜରେ ଡଗ୍ସ ପାର୍ଟିର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ଏଂଟ୍ରି ଫି ରହିଥିଲା ୫ଲକ୍ଷ ଟଙ୍କା, ଆଉ ଏଇ ପାର୍ଟି ୩ ଦିନ ଧରି ଚାଲିବା କାର୍ଯ୍ୟକ୍ରମ ଥିଲା, ଏନେଇ ସୂଚନା ପାଇବା ପରେ ଅଭିନବ ଢଙ୍ଗରେ ଏନଏସିବିର କର୍ମଚାରୀ ଜାହାଜର ଯାତ୍ରୀ ହୋଇ ପ୍ରବେଶ କରିଥିଲେ ।

ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ନେତୃତ୍ୱରେ ଚାଲିଥିଲା ଏହି ବଡ ଅପରସେନ୍ । କ୍ରୁଜ୍ ମଝି ସମୁଦ୍ରରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ଡ୍ରଗ୍ସ ପାର୍ଟି । ଏତିକି ବେଳେ ସେଠାରେ ଥିବା ଏନସିବିର ଟିମ୍ ଚଢାଉ କରିଥିଲା । ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଯାଏ ଟିମ୍ ଚଢାଉ କରି ବିପୁଳ ପରିମାଣର ଡ୍ରଗ୍ସ, କୋକିନ୍ ଓ ଚରସ ଜବତ କରିଥିଲା । ଜାହାଜରେ ସାମିଲ ଥିଲେ ମୋଟ୍ ୨ ହଜାର ଲୋକ, ଏଥି ମଧ୍ୟରୁ ୬ଶହ ଭିଆଇପି ବି ସାମିଲ ଥିଲେ ।