ସନ୍ଧ୍ୟା ସୁଦ୍ଧା ଜେଲରୁ ମୁକୁଳି ପାରନ୍ତି ଆରୟନ : ଶାହାରୁଖ ଖାନଙ୍କ ପରିବାରରେ ଖୁସିର ମାହୋଲ

୨୫ ଦିନର ସଂଘର୍ଷ ପରେ ମନ୍ନତକୁ ଫେରିବା ପାଇଁ ଫିଟିଛି ବାଟ, ଜାମିନ ମିଳିବା ପରେ ଆନନ୍ଦରେ କାନ୍ଦି ପକାଇଲେ ଶାହାରୁଖ୍ ଖାନ୍ ; ଖୁସି ଜାହିର କରି ବଲିଉଡ ସେଲିବ୍ରିଟିଙ୍କ ଟୁଇଟ୍

127

କନକ ବ୍ୟୁରୋ : ଆଜି ସନ୍ଧ୍ୟା ସୁଦ୍ଧା ଜେଲରୁ ମୁକୁଳି ପାରନ୍ତି ଆରୟନ ଖାନ୍ । କୋର୍ଟଙ୍କ ଅର୍ଡର କପି ଆସିବା ପରେ ଆଜି କିମ୍ବା କାଲି ମୁକୁଳିବେ । ଆରୟନଙ୍କୁ ଗତକାଲି ସର୍ତମୂଳକ ଜାମିନ ଦେଇଛନ୍ତି ବମ୍ବେ ହାଇକୋର୍ଟ । ସର୍ତ ଅନୁସାରେ ଆରୟନଙ୍କୁ କୋର୍ଟଙ୍କ ନିକଟରେ ପାସପୋର୍ଟ ଦାଖଲ କରିବାକୁ ହେବ । କୋର୍ଟଙ୍କ ବିନା ଅନୁମତିରେ ଓ ଏନସିବିକୁ ନଜଣାଇ ଦେଶ ବାହାରକୁ ଯିବେ ନାହିଁ । କୌଣସି ବି ପରିସ୍ଥିତିରେ ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବେ ନାହିଁ । ଏହି ପ୍ରସଙ୍ଗରେ ବାହାରେ କିଛି ବି ବୟାନ ଦେବେ ନାହିଁ ।

ତେବେ କୋର୍ଟଙ୍କ ବିସ୍ତୃତ ରାୟ ଆସିବା ପରେ ଜାମିନ ଦେବାର କାରଣ ସ୍ପଷ୍ଟ ହେବ । ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି କରୁଥିବାବେଳେ ଆରୟନଙ୍କୁ ଗତ ୨ ତାରିଖରେ ଧରିଥିଲା ଏନସିବି । ତାପରେ ତାଙ୍କୁ ଗିରଫ କରିଥିଲା । ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଆର୍ଥର ରୋଡ୍ ଜେଲରେ ଅଛନ୍ତି । କିନ୍ତୁ ଗତକାଲି କୋର୍ଟ ଆରୟନଙ୍କ ଜାମିନକୁ ମଞ୍ଜୁରି ଦେବା ପରେ ଏବେ ତାଙ୍କ ପାଇଁ ଜେଲରୁ ମୁକୁଳିବାର ବାଟ ଫିଟି ଯାଇଛି ।

ଆରୟନଙ୍କ ଜାମିନ୍ ମିଳିବା ପରେ ଶାହାରୁଖ ଖାନଙ୍କ ପରିବାରକୁ ଫେରିଛି ଖୁସି । ଖୁସି ବ୍ୟକ୍ତ କରିବାକୁ ମନ୍ନତ ବାହାରେ ଏକାଠି ହୋଇଥିଲେ ଶାହାରୁଖ ଓ ଆରୟନଙ୍କ ପ୍ରଶଂସକ । ଅନ୍ୟପଟେ ପୁଅ ଆରୟନଙ୍କୁ ବେଲ୍ ମିଳିବା ପରେ ଖୁସିରେ କାନ୍ଦି ପକାଇଥିଲେ ଶାହାରୁଖ୍ । ଲୁହକୁ ରୋକି ପାରିନଥିଲେ କିଙ୍ଗ୍ ଖାନ୍ । ଏଥିସହ ଆରୟନଙ୍କୁ ବେଲ୍ ମିଳିବା ପରେ ଶାହାରୁଖ ଖାନ୍ ଆଇନଜୀବୀ ସତୀଶ ମାନସିନେ୍ଧଙ୍କ ଟିମ୍ ସହ ଏକ ଫଟୋ ଉଠାଇଥିଲେ । ଆଉ ସେହି ଫଟୋକୁ ପୋଷ୍ଟ କରିଥିଲେ ସତୀଶ ମାନସିନେ୍ଧ ।

ସେହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୁଅ ଆରୟନଙ୍କୁ ଏନସିବି ଗିରଫ କରିବା ପରେ ଶାହାରୁଖଙ୍କ ଆଖିରୁ ନିଦ ହଜିଯାଇଥିଲା । ପଠାନ ଫିଲ୍ମ ସୁଟିଂକୁ ଅଧାରୁ ଛାଡି ଦେଶକୁ ଫେରି ଆସିଥିଲେ ଶାହାରୁଖ୍ । ଆଉ ପୁଅକୁ ବେଲରେ ମୁକୁଳାଇବା ପାଇଁ ଦିନ ରାତି ଏକ କରି ଦେଇଥିଲେ । ଶେଷରେ ଆରୟନଙ୍କ ସର୍ତ ମୂଳକ ଜାମିନ୍ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଆରୟନଙ୍କ ସହ ଅର୍ବାଜ ଓ ମୁନମୁନଙ୍କ ମଧ୍ୟ ଜାମିନ ମିଳିଛି । ଆରୟନଙ୍କୁ ବେଲ୍ ମିଳିବା ପରେ ଅଭିନେତା ସୋନୁ ସୁଦ୍ଦ, ଅଭିନେତା,ନିର୍ଦ୍ଦେଶକ ଆର ମାଧବନ ଖୁସି ବ୍ୟକ୍ତ କରିଛନ୍ତି ।

ଗୁରୁବାର କୋର୍ଟରେ ଆରୟନଙ୍କୁ ଜାମିନ ନ ଦେବା ପାଇଁ ଯୁକ୍ତି କରିଥିଲା ଏନସିବି । କୋର୍ଟରେ ଏନସିବି ତରଫରୁ ଓକିଲ ଅନୀଲ ସିଂହ କହିଥିଲେ –
ଏନସିବିର ଯୁକ୍ତି :
– ଆରୟନ ଖାନ୍ ପ୍ରଥମ ଥର ଡ୍ରଗ୍ସ ନେଉ ନଥିଲେ, ଆରୟନ ଓ ଅରବାଜ ଅନେକ ବର୍ଷରୁ ଡ୍ରଗ୍ସ ନେଇ ଆସୁଛନ୍ତି
– ଡ୍ରଗ୍ସ ପେଡଲରଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ରହିଛି
– ଚାର୍ଟସରୁ ସ୍ପଷ୍ଟ ହେଉଛି ଯେ, ଆରୟନ ଡ୍ରଗ୍ସ କାରବାର କରୁଥିଲେ
– କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ନେଇ ଆରୟନ ଖାନ୍ ଆଗରୁ ଜାଣିଥିଲେ
– ଗାନ୍ଧୀ ଜୟନ୍ତୀରେ ଆରୟନ ଏଭଳି କରିବାର ନଥିଲା

ଏନସିବି ପକ୍ଷରୁ ଓକିଲ ଅନୀଲ ସିଂହଙ୍କ ଯୁକ୍ତି ଶୁଣିବା ପରେ ଆରୟନ ଖାନଙ୍କ ତରଫରୁ ପକ୍ଷ ରଖିଲେ ଓକିଲ ମୁକୁଲ ରୋହତୋଗୀ

ମୁକୁଲ ରୋହତୋଗୀଙ୍କ ଯୁକ୍ତି:

– ଆରୟନଙ୍କ ନିକଟରୁ ମିଳିନି ଡ୍ରଗ୍ସ
– ଡ୍ରଗ୍ସ କାରବାରରେ ସଂପୃକ୍ତ ନଥିଲେ ଆରୟନ୍
– ସିପରେ ୧୩ ଶହ ଲୋକ ଥିଲେ, କାହାରିକୁ ଜାଣିଥିବା ନେଇ ପ୍ରମାଣ ନାହିଁ
– ଆରୟନ, ଅରବାଜ ଏକାଠି ଥିଲେ ମାତ୍ର ଆରୟନଙ୍କୁ ଜଣା ନଥିଲା ଯେ, ଅରବାଜଙ୍କ ପାଖରେ ଡ୍ରଗ୍ସ ଅଛି
– ଆରୟନ ଖାନ୍ କୌଣସି ଷଡଯନ୍ତ୍ର କରି ନାହାଁନ୍ତି
– ଷଡଯନ୍ତ୍ର ହୋଇଛି କି ନାହିଁ ସେଥିପାଇଁ ପ୍ରମାଣ ଆବଶ୍ୟକ
– ଆରୟନ ଖାନଙ୍କ ବିରୋଧରେ ସେଭଳି କିଛି ପ୍ରମାଣ ନାହିଁ
– ମାନବ ଓ ଗାବାଙ୍କୁ ଆରୟନ ଜାଣିଥିଲେ ସେମାନଙ୍କୁ କାହିଁକି ଗିରଫ କରାଯାଇ ନାହିଁ
– ମାମଲାରେ ସମ୍ପୃକ୍ତ ଅନ୍ୟ ୨ ଜଣଙ୍କୁ ପୂର୍ବରୁ କିଭଳି ଜାମିନ୍ ମିଳିଲା