ଅକ୍ଟୋବର ୩ ରୁ ନେଇ ଆଜି ପର୍ଯ୍ୟନ୍ତ ଆରୟନଙ୍କ ଡ୍ରଗ୍ସ ମାମଲାର ଘଟଣାକ୍ରମ । କିଭଳି ଭାବେ କ୍ରୁଜରୁ ଆରୟନଙ୍କୁ ଗିରଫ କରିଥିଲା ଏନସିବି

65

କନକ ବ୍ୟୁରୋ : ଆଜି ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ବାହାରିବେ ଆରୟନ ଖାନ୍ । ଏଥିପାଇଁ ବାପା ଶାହାରୁଖ ଖାନ୍ ଏବେ ଆର୍ଥର ରୋଡ୍ ଜେଲ ମୁହାଁ ହୋଇଛନ୍ତି । ଆଜି ସକାଳ ୫ଟା ୩୦ରେ ଆର୍ଥର ରୋଡ୍ ଜେଲରେ ବେଲ ବକ୍ସ ଖୋଲା ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜେଲେ ବାହାରେ ବାରିକେଡ ବ୍ୟବସ୍ଥା କରାଯାଇଛି । ଶାହାରୁଖ ଖାନଙ୍କ ବାସଭବନ ମନ୍ନତ ଆଗରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ହାଇକୋର୍ଟ ଆରୟନଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ଗତକାଲି କୋର୍ଟରୁ ଜାମିନ ଅର୍ଡର ଜାରି ପରେ ଜେଲରେ ଅନ୍ୟାନ୍ୟ କାମରେ ବିଳମ୍ବ ହେବାରୁ ଆରୟନ ଖାନ୍ ଜେଲରୁ ବାହାରି ପାରିନଥିଲେ । ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତ କୂଳମ ଜାମିନ ପ୍ରଦାନ କରିଛନ୍ତି । ଯଉଁଥିରେ ଆରୟନଙ୍କୁ ଛାଡିବା ପାଇଁ ୧୪ଟି ସର୍ତ ରଖାଯାଇଛି ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରୟନ ୧ ଲକ୍ଷ ଟଙ୍କାର ବଣ୍ଡ ଓ ପାସପୋର୍ଟ ଜମା କରିଛନ୍ତି । ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡି କୁଆଡେ ଯାଇପାରିବେ ନାହିଁ । ଏନସିବି ଅଧିକାରୀଙ୍କ ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ଆରୟନ । ପ୍ରତି ଶୁକ୍ରବାର ଦିନ ୧୧ଟାରୁ ଅପରହ୍ନ ୨ଟା ଭିତରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ଉପସ୍ଥିତ ରହିବେ ଆରୟନ । ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ଯୋଗାଯୋଗ କରିବେ ନାହିଁ । କୌଣସି ପ୍ରମାଣ ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ । ଏହାସହ ସୋଶିଆଲ ମିଡିଆ ଏବଂ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ ଆରୟନ । କୋର୍ଟରୁ ଦିଆଯାଇଥିବା ସମସ୍ତ ତାରିଖରେ ସେ ଉପସ୍ଥିତ ରହିବେ । ତଦନ୍ତରେ ସହଯୋଗ କରିବା ପାଇଁ ଏନସିବି ଅଧିକାରୀଙ୍କ ଡାକରାରେ ତାଙ୍କୁ ପହଂଚିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆରୟନ ମାମଲାର ଘଟଣାକ୍ରମ
– ଅକ୍ଟୋବର ୩ – ଡ୍ରଗ୍ସ ଲିଙ୍କରେ ଆରୟନଙ୍କ ସହ ୮ ଜଣଙ୍କୁ କ୍ରୁଜରୁ ଗିରଫ କଲା ଏନସିବି
– ଅକ୍ଟୋବର ୭ – ୮ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟ
ଆରୟନଙ୍କ ସହ ୬ ଜଣ ପୁରୁଷଙ୍କୁ ଆର୍ଥର ରୋଡ୍ ଜେଲ ଓ ୨ ମହିଳାଙ୍କୁ ମୁମ୍ବାଇ ବାଇକୁଲା ଜେଲ ପଠାଇ ଦିଆଗଲା
– ଅକ୍ଟୋବର ୮ – ଆରୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଲେ ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ
– ଅକ୍ଟୋବର ୧୧ – ଅଭିଯୁକ୍ତଙ୍କ ଓକିଲ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଯିବା ପରେ ଅକ୍ଟୋବର ୧୪ରେ ଶୁଣାଣି ପାଇଁ ଧାର୍ଯ୍ୟ କଲେ କୋର୍ଟ
– ଅକ୍ଟୋବର ୧୪ – ଆରୟନଙ୍କ ଜାମିନ ଆବେଦନର ଶୁଣାଣି କରି ଅକ୍ଟୋବର ୨୦ ଯାଏଁ ରାୟ ସଂରକ୍ଷିତ ରଖିଥିଲେ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ
– ଅକ୍ଟୋବର ୨୦ – ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ବମ୍ବେ ହାଇକୋର୍ଟ ଗଲେ ପରିବାର ଓ କୋର୍ଟ ଅକ୍ଟୋବର ୨୬ରେ ଶୁଣାଣି ପାଇଁ ଧାର୍ଯ୍ୟ କଲେ
– ଅକ୍ଟୋବର ୨୮ – ସମସ୍ତ ପର ଦଲିଲ ଶୁଣିବା ପରେ ଆରୟନଙ୍କ ସହ ଅର୍ବାଜ ମର୍ଚ୍ଚାଂଟ ଓ ମୁନମୁନ ଧାମେଚାଙ୍କୁ ଜାମିନ ପ୍ରଦାନ କଲେ ବମ୍ବେ ହାଇକୋର୍ଟ