ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମତ୍କାର ଅଭିନୟକୁ ମିଳୁଛି ପ୍ରଶଂସା

195

କନକ ବ୍ୟୁରୋ : ବଲିଉଡ ବାଦଶାହ ଶାହାରୁଖ ଖାନ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡଙ୍କି’ର ଟ୍ରେଲର ରିଲିଜ୍ । ପୂର୍ବରୁ ଦୁଇଟି ଗୀତକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ମଙ୍ଗଳବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଗୋଟିଏ ବର୍ଷରେ ଦର୍ଶକଙ୍କୁ ‘ପଠାନ’ ଓ ‘ଯବାନ’ ଭଳି ବ୍ଲକବଷ୍ଟର ମୁଭି ଭେଟି ଦେଇଥିବା କିଙ୍ଗ ଖାନ ପୁଣିଥରେ ‘ଡଙ୍କି’ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି । ଶାହାରୁଖ ଖାନଙ୍କ ବ୍ୟତୀତ ଏହି ଫିଲ୍ମରେ ଭିକି କୌଶଲ, ତାପସୀ ପନ୍ନୁ, ବୋମାନ ଇରାନୀ, ବିକ୍ରମ କୋଚର, ସୁନୀଲ ଗ୍ରୋଭର ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ରିଲିଜ୍ ହୋଇଥିବା ୩ମିନିଟ୍ ୨ସେକେଣ୍ଡର ଟ୍ରେଲରରେ ଫିଲ୍ମର କାହାଣୀକୁ ଦର୍ଶାଇଛନ୍ତି ଶାହାରୁଖ । ୧୯୯୫ ମସିହାରେ ପଂଜାବର ଲାଲଟୁ ସହରରୁ ୫ଜଣ ସାଙ୍ଗଙ୍କ ମଧ୍ୟରେ ଗଢି ଉଠିଥିବା ବନ୍ଧୁତାର ସମ୍ପର୍କ ଆଗକୁ କିପରି ଗତିଶୀଳ ହେଉଛି ସେସବୁକୁ ଫିଲ୍ମ ମାଧ୍ୟମରେ ଚିତ୍ରଣ କରାଯାଇଛି । ଫିଲ୍ମଟିରେ ବିଦେଶ ଯିବାକୁ ଚାହୁଁଥିବା ୫ଜଣ ସାଙ୍ଗଙ୍କ କାହାଣୀକୁ ଦର୍ଶାଯାଇଛି । କମେଡି, ଟ୍ରାଜେଡି ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମର କାହାଣୀକୁ ଦର୍ଶକ ବେଶ ପସନ୍ଦ କରିବେ । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି କାମ କରୁଛନ୍ତି ଶାହରୁଖ ଖାନ ଓ ବଲିଉଡ ନିର୍ଦ୍ଦେଶକ ରାଜକୁମାର ହିରାନୀ । ସଞ୍ଜୁ, ପିକେ, ଥ୍ରୀ ଇଡିଅଟ ଭଳି ଡଙ୍କି ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୨ରେ ବଡ଼ ପରଦାରେ ରିଲିଜ ହେବ ଫିଲ୍ମ ଡଙ୍କି ସମାନ ଦିନରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’ ମଧ୍ୟ ରିଲିଜ ହେବାକୁ ଯାଉଛି । ବକ୍ସ ଅଫିସରେ ଦୁଇଟି ଫିଲ୍ମ ମଧ୍ୟରେ କଡା ଟକ୍କର ହେବା ନେଇ ଆକଳନ କରିଛନ୍ତି ସିନେ ସମୀକ୍ଷକ ।