ଆରୟନ୍ ଖାନ ଡ୍ରଗ୍ସ କେସ୍: ଶାହାରୁଖଙ୍କ ଡ୍ରାଇଭରକୁ ଏନସିବି ସମନ୍ , ଚାଲିଛି ପଚରାଉଚୁରା…

148

କନକ ବ୍ୟୁରୋ: ଆରୟନ ଖାନ୍ ଡ୍ରଗ୍ସ କେସରେ ଏବେ ଶାହାରୁଖ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ପୁଅ ପରେ ଏବେ ଶାହାରୁଖଙ୍କ ଡ୍ରାଇଭରକୁ ପଚରାଉଚୁରା ପାଇଁ ସମନ୍ କରିଛି ଏନସିବି । ତେବେ ତାଜା ସୂଚନା ମୁତାବକ, ବର୍ତ୍ତମାନ ଏନସିବି ଅଫିସରେ ଶାହାରୁଖଙ୍କ ଡ୍ରାଇଭରକୁ ଏନସିବିର ଅଫିସରମାନେ ପଚରାଉଚୁରା କରୁଛନ୍ତି । କୁହାଯାଉଛି, ଆରୟନ ଖାନ ଡ୍ରଗ୍ସ କେସରେ ଏହା ଗୋଟିଏ ବଡ ଦିଗ ହୋଇପାରେ । ଏଯାବତ ଏନସିବି ଖାନ ପରିବାରର କୌଣସି ସଦସ୍ୟଙ୍କୁ ଏହି ମାମଲାରେ ପଚରାଉଚୁରା କରିନି । ହେଲେ କିଙ୍ଗ ଖାନଙ୍କ ଡ୍ରାଇଭରକୁ ଏନସିବି କାହିଁକି ପଚରାଉଚୁରା କରୁଛି, ତାକୁ ନେଇ ଏବେ ଅନେକ କଥା ଚର୍ଚ୍ଚାକୁ ଆସିଛି ।

ତେବେ କ୍ରୁଜରେ ଡ୍ରଗ୍ସ ପାର୍ଟି ନେଇ ଏବେ ଶାହାରୁଖଙ୍କ ପୁଅ ଆରୟନ ଖାନ ଜେଲରେ ଅଛନ୍ତି । ତାଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିବାକୁ ଗତକାଲି ମନା କରିଦେଇଥିଲେ । ଏହାପରେ ଆରୟନ ଖାନଙ୍କୁ ଏବେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଦିନ କାଟୁଛନ୍ତି । ତେବେ ଜେଲରେ ଏବେ ତାଙ୍କୁ ପ୍ରଥମେ ସଙ୍ଗରୋଧରେ ରହିବାକୁ ପଡିବ । ଗୁରୁବାର ଆରୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ ଉପରେ ଚଢାଉ କରିଥିଲା ଏନସିବି । ଏହି କ୍ରୁଜରେ ଡ୍ରଗ୍ସ ପାର୍ଟି ହେବା ନେଇ ଏନସିବିକୁ ଖବର ମିଳିଥିଲା । ତେବେ ବଡ କଥା ହେଲା, ଏହି କ୍ରୁଜରେ ଶାହାରୁଖଙ୍କ ପୁଅ ଆରୟନ ଖାନ ମଧ୍ୟ ରହିଥିଲେ । ଏହାପରେ ଏନସିବି ତାଙ୍କୁ ହେପାଜତକୁ ନେବା ସହିତ ଏହି ଘଟଣାରେ ତଦନ୍ତ କରିଥିଲା । ତଦନ୍ତ ସମୟରେ ଆରୟନ ସେହି ପାର୍ଟିରେ ଡ୍ରଗ୍ସ ନେଇଥିବା କଥା ସ୍ୱୀକାର କରିଥିଲେ । ଏହାପରେ ଏହି ମାମଲା ଏବେ ବିଚାରଧୀନ ଅଛି ।