କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଆରୟନ ୧୮ ଦିନ ହେବ ଜେଲରେ ରହିଛନ୍ତି । ଲଗାତର ପରିବାର ଓ ଓକିଲଙ୍କ ପକ୍ଷରୁ କୋର୍ଟରେ ତାଙ୍କର ଜାମିନ ପାଇଁ ଚେଷ୍ଟା କରାଯାଉଥିବା ବେଳେ ଅସଫଳ ହୋଇଛନ୍ତି । ବୁଧବାରଦିନ ସେସନ୍ କୋର୍ଟ ଆରୟନଙ୍କ ସମେତ ଅନ୍ୟ ୩ ଜଣଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଓକିଲ ଏବେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ ଏହି ମାମଲାରେ ଅକ୍ଟୋବର ୨୬ ତାରିଖରେ ଶୁଣାଣି କରିବ ବୋଲି ଜଣାପଡିଛି । ଏହାରି ମଧ୍ୟରେ ପ୍ରଥମ ଥର ପାଇଁ ଶାହାରୁଖ ପୁଅକୁ ଭେଟିବାକୁ ଆର୍ଥର ରୋଡ ଜେଲକୁ ଯାଇଥିଲେ ।
ଶାହାରୁଖ ଓ ଆରୟନଙ୍କ ମଧ୍ୟରେ ପ୍ରାୟ ୧୫-୨୦ ମିନିଟ କଥାବାର୍ତ୍ତା ହୋଇଥିଲା । ଜେଲ ସୂତ୍ର ମୁତାବକ ଆରୟନ ଓ ଶାହାରୁଖଙ୍କ ମଧ୍ୟରେ ଯେତେବେଳେ ସାକ୍ଷାତ ହୋଇଥିଲା ଉଭୟ ଭାବୁକ ହୋଇପଡିଥିଲେ । ହେଲେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହେଲା ତାହା ପ୍ରକାଶ ପାଇନାହିଁ ।
କହିରଖୁ କି କରୋନା ମହାମାରୀ ପାଇଁ ଜେଲରେ କୌଣସି କଏଦୀଙ୍କୁ ବାହାର ଲୋକଙ୍କୁ ଭେଟିବାର ସୁଯୋଗ ଦିଆଯାଉନଥିଲା । ହେଲେ ବୁଧବାର ଦିନ ଏହି ନିୟମ ଉଠାଇ ଦିଆଯାଇଛି । ଏହାପରେ ଗୁରୁବାର ଦିନ (ଆଜି) ଶାହାରୁଖ ଆରୟନଙ୍କୁ ଭେଟିବାକୁ ଜେଲ ଯାଇଥିଲେ ।
ଏନେଇ ଜେଲ କର୍ତ୍ତୁପକ୍ଷ ଏକ ଘରୋଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଆର୍ଥର ରୋଡ ଜେଲରେ କଏଦୀ ମାନଙ୍କୁ ଭେଟିବାକୁ ଏକ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରାଯାଇଛି । ହେଲେ ଏହି ରୁମ ଭିତରକୁ ଭେଟିବାକୁ ଯାଉଥିବା ବାହାର ଲୋକଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି ।
ଜେଲର ନିୟମ ମୁତାବକ ଜଣେ କଏଦୀଙ୍କୁ ତାଙ୍କ ପରିଜନ ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ ଗୋଟିଏ ଥର ଭେଟିବାର ସୁଯୋଗ ମିଳିବ । ଏହି ଭେଟର ଅବଧି ସର୍ବାଧିକ ୨୦ ମିନିଟ୍ ରହିବ । ଆଜିର ଏହି ଭେଟ ବେଳେ ଶାହାରୁଖ ଓ ଆରୟନଙ୍କ ମଧ୍ୟରେ ୧୫-୨୦ ମିନିଟ୍ କଥାବାର୍ତ୍ତା ହୋଇଛି ।