ସନ୍ୟାସୀରୁ କେମିତି ମୁଖ୍ୟମନ୍ତ୍ରୀ ହେଲେ ଯୋଗୀ ଆଦିତ୍ୟନାଥ ? ରହସ୍ୟ ଖୋଲିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା ।

280

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗ୍ରାଉଣ୍ଡ ବ୍ରେକିଙ୍ଗ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୁରି ଭୁରି ପ୍ରଶଂସା କରିବା ସହ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ଏଭଳି କିଛି କହିଛନ୍ତି ଯାହାକି ଚର୍ଚ୍ଚା ସୃଷ୍ଟି କରିଛି । ଶାହା କହିଛନ୍ତି ଯେ ଯେତେବେଳେ ସେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ ପ୍ରଭାରୀ ଭାବେ ଆସିଥିଲେ ସେତେବେଳେ ଏଠାକାର ଆଇନଶୃଙ୍ଖଳାକୁ ଦେଖି ସେ ଚିନ୍ତାରେ ପଡିଯାଇଥିଲେ ।

ପରେ ଲୋକମାନେ ବିଜେପି ଉପରେ ବିଶ୍ୱାସ ରଖି ଭୋଟ ଦେଇଥିଲେ । ଏହାପରେ ଯେତେବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚୟନ କରାଯାଉଥିଲା ତାଙ୍କୁ କୁହାଯାଇଥିଲା ଯେ ଯୋଗୀ କେବେ ବି ମନ୍ତ୍ରୀ ପଦରେ ବି ରହିନାହାନ୍ତି । କୌଣସି ମ୍ୟୁନିସିପାଲଟିର ଦାୟିତ୍ୱ ବି ନେଇନାହାନ୍ତି । ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନିଷ୍ପତ୍ତି ଠିକ ହେବ ନା ନାହିଁ କିଛି ନେତାଙ୍କ ମନରେ ସଂଶୟ ଥିଲା ।

କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସେ ନିଜେ ନିଷ୍ପତ୍ତି ନେଇଥିଲେ ଯେ ଯେଉଁ ଲୋକର ମନରେ କାମ କରିବାକୁ ଦୃଢ ବିଶ୍ୱାସ ରହିଛି ସେ ସବୁ ବାଧାବିଘ୍ନକୁ ଦୂର କରିପାରିବ । ଉତ୍ତରପ୍ରଦେଶର ଆତ୍ମବିଶ୍ୱାସକୁ ଫେରାଇଆଣିବାରେ ଯୋଗୀ କାମ କରିଛନ୍ତି ବୋଲି ଶାହା କହିଛନ୍ତି । ମାତ୍ର ୨ ବର୍ଷରେ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳାକୁ ଯୋଗୀ ସଜାଡ଼ିଦେଇଛନ୍ତି ବୋଲି ଶାହା କହିଛନ୍ତି ।