ଛତିଶଗଡ ନକ୍ସଲ ଆକ୍ରମଣ ପରେ ଆସାମରେ ପ୍ରଚାର ବାତିଲ୍ କଲେ ଶାହା । ଦିଲ୍ଲୀ ଆସି ବରିଷ୍ଠ ଅଧିକାରୀଙ୍କ ସହ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ । 

204

କନକ ବ୍ୟୁରୋ: ଛତିଶଗଡ ସୁକମା-ବିଜାପୁର ବର୍ଡରରେ ନକ୍ସଲ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହେବାରୁ ୨୪ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି କିଛି ଭାରତୀୟ ଯବାନ ନିଖୋଜ ଥିବା ଖବର ମିଳୁଛି । ତେବେ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ନିଜର ନିର୍ବାଚନ ରାଲିକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା ଆଜି ଆସାମରେ ନିର୍ବାଚନ ପ୍ରଚାର କରିବାକୁ ସ୍ଥିର ହୋଇଥିଲା । ହେଲେ ଆଜିର ଏହି ଦୁଃଖଦ ଖବର ପରେ ସେ ଦିଲ୍ଲୀ ଫେରି ଆସିବା ନେଇ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ଆସିବା ପରେ ସେ ଏହି ଘଟଣାରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଏହାପୂର୍ବରୁ ମଧ୍ୟ ଅମିତ ଶାହା ଟୁଇଟ୍ କରି ଏହି ଘଟଣାରେ ଶୋକପ୍ରକାଶ କରିସାରିଛନ୍ତି । ଟୁଇଟ୍ କରି ସେ ଲେଖିଥିଲେ ଯେ, ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଆମ ବୀର ଯବାନଙ୍କୁ ସେ ପ୍ରଣାମ କରୁଛନ୍ତି । ଦେଶ ଯବାନଙ୍କ ଏହି ବଳିଦାନକୁ କଦାପି ଭୁଲିବନି ବୋଲି ଶାହା ଲେଖିଥିଲେ ।

ସୂଚନାଯୋଗ୍ୟ ଯେ, ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ୨୪ ଯବାନ ସହିଦ ହୋଇଛନ୍ତି ।  ଗତକାଲି ନକ୍ସଲଙ୍କ ସହିତ ମୁହାଁମୁହିଁ ପରେ ୨ ଯବାନଙ୍କ ମରଶରୀର ଉଦ୍ଧାର ହୋଇଥିଲା । ଆଜି ଆଉ ୨୨ ଯବାନଙ୍କ ମରଶରୀର ଉଦ୍ଧାର ହୋଇଛି । ଫଳରେ ୨୪କୁ ବୃଦ୍ଧି ହୋଇଛି ସହିଦ ଯବାନଙ୍କ ସଂଖ୍ୟା । ସେହିପରି ୧୫ ଜଣ ନକ୍ସଲଙ୍କର ଏଥିରେ ମୃତ୍ୟୁ ହୋଇଛି । ସହିଦ ଯବାନଙ୍କ ମଧ୍ୟରେ ରହିଛନ୍ତି ସିଆରପିଏଫ୍ ଏବଂ ଛତିଶଗଡ ପୋଲିସର ଯବାନ । ଗତକାଲିର ନକ୍ସଲଙ୍କ ଆଂବୁସ ପରଠାରୁ କିଛି ଯବାନ ନିଖୋଜ ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ଛତିଶଗଡରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦ୍ରିୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ ।