୨୦୧୯ରେ ୧୯୯୮ର ପୁନରାବୃତ୍ତି । ବିଜେପି ସରକାରରେ ଫେରିଲା ଯୋଡ଼ି, ବାଜପେୟୀ-ଆଡଭାନୀଙ୍କ ପରେ ମୋଦି-ଶାହା ଯୁଗଳବନ୍ଦୀ ।

151

କନକ ବ୍ୟୁରୋ: ୧୯ ଯୁଦ୍ଧରେ କମାଲ କରି ଏବେ ଚର୍ଚ୍ଚାରେ ବିଜେପି ସରକାର-୨ର ଯୋଡ଼ି ନମ୍ବର-୨ ମୋଦି-ଶାହାଙ୍କ ଜୁଗଳବନ୍ଦୀ । ଜାତୀୟ ରାଜନୀତିରେ ବିଜେପିର ପ୍ରଥମ ପର୍ଯ୍ୟାୟ ଅଭ୍ୟୁଥାନରେ ବାଜପେୟୀ ଓ ଆଡ଼ଭାନୀଙ୍କ ଯୋଡ଼ି ଯେଉଁ କମାଲ କରିଥିଲେ ତାହାକୁ ମନେପକାଇଦେଲେ ମୋଦି-ଶାହା ଯୋଡ଼ି । ଯାହାକୁ ନେଇ ଏବେ ଜାତୀୟ ରାଜନୀତିରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । କାରଣ ମୋଦିଙ୍କ ଦ୍ୱିତୀୟ ପାଳିର ନୂଆ ମନ୍ତ୍ରିମଣ୍ଡଳରେ ବିଜେପି ଚାଣକ୍ୟ ବୋଲାଉଥିବା ଶାହାଙ୍କୁ ମିଳିଛି ଗୃହମନ୍ତ୍ରଣାଳୟର ଦାୟିତ୍ୱ ।

ଅନ୍ୟପଟେ ବିଜେପିର ଏହି ଯୋଡ଼ି ନମ୍ବର -୨ ବିଜେପିର ଇତିହାସକୁ ଦୋହରାଇଛି ବୋଲି ଚର୍ଚ୍ଚା ହେଉଛି । କାରଣ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେପିର ନମ୍ବର ୱାନ୍ ଯୋଡ଼ି ବାଜପେୟୀ-ଆଡ଼ଭାନୀଙ୍କ ଜୁଗଳବନ୍ଦୀକୁ ସାରା ଦେଶବାସୀ ଦେଖି ସାରିଛନ୍ତି । ସେହି ସମୟରେ ଏହି ଯୋଡ଼ି ନମ୍ବର ୱାନ ବିଜେପିକୁ କେନ୍ଦ୍ରୀୟ ରାଜନୀତିରେ ସକ୍ରିୟ କରି ସଫଳତାର ଶିଖରରେ ପହଁଚାଇଥିଲେ । ଏହାର ରିପିଟ୍ କରିବାକୁ ପୁଣିଥରେ ମୋଦି-ଶାହା ଯୋଡ଼ି କମାଲ କରି ଦ୍ୱିତୀୟଥର କ୍ଷମତାକୁ ଆସିଛନ୍ତି ।

ସରକାର-୨ର ମୋଦି-ଶାହା ଯୋଡ଼ି ମୋଦି ସରକାରଙ୍କ ପ୍ରଥମ ପାଳିର ଗତିଶୀଳତାକୁ ବଜାୟ ରଖିବ ନା ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ମୋଦି ସରକାରଙ୍କ ପୂର୍ବ ପାଳିରେ ବିଜେପି-ଏନଡ଼ିଏ-ଆରଏସଏସ ମଧ୍ୟରେ ପରାମର୍ଶ ଏବଂ ଯେଉଁଭଳି ସମ୍ମନ୍ୱୟ ରକ୍ଷା କରାଯାଇଥିଲା ତାହା ବଜାୟ ରହିବ ତ? ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ କାହାକୁ ମିଳିବ ସେନେଇ ସଂଘ ପରିବାର ଏବଂ ମୋଦି-ଶାହାଙ୍କ ନିଷ୍ପତି ଉପରେ ମଧ୍ୟ ନଜର ରହିଛି ।

ସେହିଭଳି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶାହାଙ୍କ ଏଣ୍ଟ୍ରି କ’ଣ ପ୍ରଭାବ ପକାଇବ ତାହା ମଧ୍ୟ ସବୁଠୁ ବଡ଼ ପ୍ରଶ୍ନ । କାରଣ ଅମିତ ଶାହା ଯିଏ କି ନିଜର ରାନୈତିକ କ୍ୟାରିୟର ଏବିଭିପି ସହିତ ଆରମ୍ଭ କରିଥିଲେ । ସଂଘ ପରିବାର ଏବଂ ଗେରୁଆ କ୍ୟାମ୍ପରେ ଏହା ମଧ୍ୟ ଚର୍ଚ୍ଚା ହେଉଛି କି ମୋଦିଙ୍କ ପରେ ଶାହା ପ୍ରଧାନମନ୍ତ୍ରୀ ପାଇଁ ଦାବିଦାର । ଏପରିକି ୬ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେତେବେଳେ ୭୫ ବର୍ଷ ହୋଇଯିବ ସେ ରାଜନୀତିରୁ ସନ୍ୟାସ ନେଇପାରନ୍ତି । ଆଉ ତାଙ୍କ ସ୍ଥାନରେ ଶାହାଙ୍କୁ ଉତ୍ତରାଧିକାରୀ କରିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।