ବାଲି କିମ୍ବା ସିମେଣ୍ଟ ନୁହେଁ ଓଦା ମାଟିରେ ନିର୍ମାଣ ହେଉଛି ଭୂମିକମ୍ପ ନିରୋଧୀ ଘର । ଡିଜାଇନ ଦେଖିଲେ ଆଖି ଲାଖିଯିବ ।

508

ବିନା ବାଲି ଓ ସିମେଣ୍ଟରେ ନିର୍ମାଣ ହେବ ଘର । ତାହା ବି ପୁଣି ଭୂମିକମ୍ପ ନିରୋଧୀ । ତେବେ ଏଥିପାଇଁ ବେଶି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବନି । କେବଳ ଓଦା ମାଟିରେ ହିଁ ଛିଡା ହୋଇଯିବ ମନପସନ୍ଦର ଘର । ଏହିଭଳି କିଛି ଭୂମିକମ୍ପ ଓ ବନ୍ୟା ନିରୋଧୀ ଘର ଦିଲ୍ଲୀରେ ନିର୍ମାଣ କରୁଛନ୍ତି ସଗୁନ ସିଂ ।

ସଗୁନ ନିଜ ଏନଜିଓ ଗିଲି ମିଟ୍ଟୀ ମାଧ୍ୟମରେ ଏବେ ଏଭଳି ଘର ନିର୍ମାଣରେ ଲାଗି ପଡିଛନ୍ତି । ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳର ସିନ୍ଧି ବସ୍ତିରେ ଏବେ ଏହି ଡିଜାଇନର ମାଟି ଘର ନିର୍ମାଣ କରିଛନ୍ତି ସଗୁନ ଓ ତାଙ୍କ ସହଯୋଗୀ । ଏବେ ଏହି ଘରକୁ ସ୍କୁଲ ଭାବରେ ବ୍ୟବହାର କରାଯାଉଛି ।

ଆର୍ଥନ ବ୍ୟାଗ ଟେକନିକ ଅନୁଯାୟୀ ଏହି ସବୁ ଘରର ନିର୍ମାଣ କରାଯାଉଛି । ଏହି ଜ୍ଞାନକୌଶଳ ଦ୍ୱାରା ପ୍ରଥମେ ଜରି ଅଖାରେ ମାଟି ଭର୍ତ୍ତି କରାଯାଇଥାଏ ଏହାପରେ ଇଟା ଭଳି ଏହାକୁ ଘର ନିର୍ମାଣରେ ବ୍ୟବହାର କରାଯାଏ । ଏହି ଜ୍ଞାନକୌଶଳ ୬୦ ଦଶକରେ ଆରମ୍ଭ ହୋଇଥିବାବେଳେ ସଗୁନ ଏବେ ଦିଲ୍ଲୀ, ଉତ୍ତରାଖଣ୍ଡ ଓ ହରିୟାଣାରେ ଏହାକୁ ବ୍ୟବହାର କରୁଛନ୍ତି ।
ସଗୁନ ବିହାରର ବାସିନ୍ଦା ହୋଇଥିବାବେଳେ ଦିଲ୍ଲୀରେ ପାଠ ପଢୁଥିଲେ। ଏହାପରେ ୧୦ ବର୍ଷ କାଳ କର୍ପୋରେଟ ଚାକିରି କରିବା ପରେ ଏବେ ଚାକିରି ଛାଡି ଏଭଳି ଘର ନିର୍ମାଣରେ ଲାଗିପଡିଛନ୍ତି । ସଗୁନ କହିଛନ୍ତି ଯେ ନେପାଳରେ ଭୂମିକମ୍ପ ବେଳେ କେବଳ ଏହି ଟେକନିକରେ ନିର୍ମାଣ ହୋଇଥିବା ଘର ହିଁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇ ଯାଇଥିଲା ।