୧୯ ବର୍ଷରୁ କମ ମହିଳା ବିଶ୍ୱକପ୍ । ଶେଫାଳୀ ବର୍ମାଙ୍କ ହାତରେ ଟିମ୍ ଇଣ୍ଡିଆର ମଙ୍ଗ, ପ୍ରଥମ ସଂସ୍କରଣରେ ଚାମ୍ପିୟନ ହେବା ଲକ୍ଷ୍ୟରେ ଭାରତ ।

143

କନକ ବ୍ୟୁରୋ : ୧୯ ବର୍ଷରୁ କମ ମହିଳା ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଭାରତ । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶେଫାଳୀ ବର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିପାକ୍ଷିକ ସିରିଜ ସହ ୧୯ ବର୍ଷରୁ କମ ବିଶ୍ୱକପ ପାଇଁ ଏହି ଦଳ ଘୋଷଣା ହୋଇଛି । ଆସନ୍ତା ଜାନୁଆରୀ ମାସରେ ୧୯ ବର୍ଷରୁ କମ ମହିଳା ବିଶ୍ୱକପ୍ ଖେଳାଯିବ । ଆଉ ଏହାପୂର୍ବରୁ ଦଳ ଘୋଷଣା ସହ ପ୍ରସ୍ତୁତିକୁ ଜୋରଦାର କରିଛି ଟିମ୍ ଇଣ୍ଡିଆ ।

୧୯ ବର୍ଷରୁ କମ ମହିଳା ବିଶ୍ୱକପର ଏହା ପ୍ରଥମ ସଂସ୍କରଣ । ଚଳିତ ବିଶ୍ୱକପରେ ୧୬ଟି ଟିମ ଟାଇଟଲ ପାଇଁ ମୈଦାନକୁ ଓହ୍ଳାଇବେ । ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୪ରୁ ଜାନୁଆରୀ ୨୯ ଯାଏଁ ଖେଳାଯିବ । ଭାରତ ସହ ସମାନ ଗ୍ରୁପରେ ଆୟୋଜକ ଦକ୍ଷିଣ ଆଫ୍ରିକା, ୟୁଏଇ ଓ ସ୍କଟଲାଣ୍ଡ ରହିଛି । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୩ଟି ଟିମ୍ ପରବର୍ତ୍ତୀ ପର୍ଯ୍ୟାୟକୁ ଆଗକୁ ବଢିବେ । ଏହିଭଳି ଭାବେ ମୋଟ ୧୨ଟି ଟିମକୁ ୨ଟି ଗ୍ରୁପରେ ରଖାଯିବ । ପ୍ରତି ଗ୍ରୁପରୁ ଶ୍ରେଷ୍ଠ ୨ଟି ଟିମ୍ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ୨୯ ଜାନୁଆରୀରେ ଫାଇନାଲ ମୁକାବିଲା ଖେଳାଯିବ । ଯେହେତୁ ଶେଫାଳୀ ବର୍ମା ପୂର୍ବରୁ ଭାରତୀୟ ସିନିୟର ମହିଳା ଟିମରୁ ଖେଳି ସାରିଛନ୍ତି । ତେଣୁ ଭାରତ ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।