ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଓପନର ଶେଫାଳୀ ବର୍ମାଙ୍କ ରେକର୍ଡଭରା ଦ୍ୱି-ଶତକ । ଦ୍ୱିତୀୟ ଭାରତୀୟ ମହିଳା ଖେଳାଳି ଭାବେ ହାସଲ କଲେ ଏଭଳି ସଫଳତା ।

607

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳାଳି ଶେଫାଳୀ ବର୍ମାଙ୍କ ରେକର୍ଡ ଭରା ଦ୍ୱିଶତକ । ଶୁକ୍ରବାର ଚେନ୍ନାଇରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଓପନର ଧୂଆଁଧାର ବ୍ୟାଟିଂ କରିଛନ୍ତି । ଏହି ମ୍ୟାଚରେ ଶେଫାଳୀ ବର୍ମା ୨୦୫ ରନର ଇଂନିସ୍ ଖେଳିଥିବାବେଳେ, ଅନ୍ୟତମ ଓପନର ସ୍ମୃତି ମାନ୍ଧାନା ମଧ୍ୟ ୧୪୯ ରନର ଇଂନିସ୍ ଖେଳିଛନ୍ତି ।

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱି-ଶତକ ମାରିବା ସହ ନୂଆ ଇତିହାସ ରଚିଛନ୍ତି ଶେଫାଳୀ । ମାତ୍ର ୧୯୪ ବଲରୁ ଦ୍ୱିଶତକ ମାରିବା ସହ ମହିଳା କ୍ରିକେଟରେ ସେ ଦ୍ରୁତତମ ଦ୍ୱିଶତକ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଏନାବେଲ ସଦରଲ୍ୟାଣ୍ଡଙ୍କ ନାମରେ ଏହି ରେକର୍ଡ ରହିଥିଲେ । ସେ ୨୪୮ ବଲରୁ ଦ୍ୱିଶତକ ଅର୍ଜନ କରିଥିଲେ । ହେଲେ ଶେଫାଳୀ କିନ୍ତୁ ମାତ୍ର ୧୯୪ ବଲରେ ଦ୍ୱିଶତକ ମାରି, ଏହି ରେକର୍ଡକୁ ଭାଙ୍ଗିଛନ୍ତି ।

ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ଆଗରେ ରହିଥିଲା । ଶେଫାଳୀ ମାତ୍ର ୧୧୩ ବଲରୁ ନିଜର ଶତକ ଅର୍ଜନ କରିଥିଲେ । ଏହାପରେ ୧୯୪ ବଲରେ ଦ୍ୱିଶତକ ମାରିଥିଲେ । ଭାରତ ପକ୍ଷରୁ ଦ୍ୱିତୀୟ ଖେଳାଳି ଭାବେ ସେ ଏଭଳି କୃତିତ୍ୱ ହାସଲ କରିଥିଲେ । ତାଙ୍କ ପୂର୍ବରୁ ଭାରତର ଏକମାତ୍ର ଖେଳାଳି ଭାବେ ମିତାଲି ରାଜ ଦ୍ୱିଶତକ ମାରିଥିଲେ । ୨୦୦୨ ମସିହାରେ ମିତାଲି ରାଜ ଏହି ସଫଳତା ହାସଲ କରିଥିଲେ । ହେଲେ ଏହାର ପ୍ରାୟ ୨୨ ବର୍ଷ ପରେ ଶେଫାଳୀ ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ଦ୍ୱିଶତକ ଅର୍ଜନ କରିଛନ୍ତି ।

ଖାଲି ସେତିକି ନୁହେଁ, ସ୍ମୃତି ମାନ୍ଧାନାଙ୍କ ସହ ମିଶି ଶେଫାଳୀ ଆଜି ୨୯୨ ରନର ପାର୍ଟନରସିପ୍ କରିଥିଲେ । ଯାହାକି ଏକ ରେକର୍ଡ । ଏହାଦ୍ୱାରା ଦୁହେଁ ୨୦ ବର୍ଷ ତଳର ପାକିସ୍ତାନ ରେକର୍ଡ ଭାଙ୍ଗିଛନ୍ତି । ଏହା ପୂର୍ବରୁ ମହିଳା କ୍ରିକେଟରେ ସବୁଠୁ ଅଧିକ ରନର ପାର୍ଟନରସିପ୍ ପାକିସ୍ତାନର ଖେଳାଳିଙ୍କ ନାଁରେ ରହିଥିଲା । ସେତେବେଳେ ଦୁହେଁ ୨୪୧ ରନର ପାର୍ଟନରସିପ୍ କରିଥିବାବେଳେ, ଶେଫାଳୀ ଏବଂ ମାନ୍ଧାନା ମିଶି ୨୯୨ ରନର ପାର୍ଟନରସିପ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟ୍ ଟିମ୍ ଏବେ ଭାରତ ଗସ୍ତରେ ଅଛି । ପ୍ରଥମେ ଖେଳାଯାଇଥିବା ଦିନିକିଆ ସିରିଜରେ ଭାରତ, ଦକ୍ଷିଣ ଆଫ୍ରିକା ଦଳକୁ ୩-୦ରେ ହରାଇ ଥିଲା । ଏହାପରେ ଏହି ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଏହାପରେ ଭାରତ- ଦକ୍ଷିଣ ଆଫ୍ରିକା ଭିତରେ ୩ଟିକିଆ ଟି-୨୦ ମ୍ୟାଚ୍ ସିରିଜ୍ ଆରମ୍ଭ ହେବ ।