ପରିବାରରେ ଶୋକର ଛାୟା… ପୁଣି ଅଚେତ୍ ହୋଇଗଲେ ଜ୍ୟୋତିଙ୍କ ମା’ ।

312

କନକ ବ୍ୟୁରୋ: ଜଣେ ପୁଅକୁ ହରେଇଥିବା ମା’ର ମନକୁ କେମିତି ବୁଝେଇବ । ନିଷ୍ଠୁର ବିଧାତା ଯେବେ ଘରର ଭବିଷ୍ୟତକୁ ନାଳରେ ଭସାଇନେଇ କୋଳରୁ ଛଡ଼େଇନେଲା । ଏହାକୁ କେମିତି ବା ଜଣେ ଜନ୍ମକଲା ମା’ ସହଜରେ ବିଶ୍ୱାସ କରିବ? ସେଥିପାଇଁ ଜ୍ୟୋତିପ୍ରକାଶ ମା’ ପୁଅର ମୃତ ଦେହ ମିଳିବା ପରେ ବାରମ୍ବାର ଅଚେତ୍ ହୋଇପଡୁଛନ୍ତି । ମରଣାଯନ୍ତା ପାଲଟିଥିବା ସ୍ମାର୍ଟସିଟିର ସାଂଘାତିକ ଡ୍ରେନ୍ ଜଣେ ମା’ କୋଳରୁ ତା’ ପୁଅକୁ ଛଡ଼ାଇ ନେଇଛି । କାଲିର ହସଖୁସିର ପରିବାରରେ ଏବେ ଦାରୁଣ ଦୁଃଖର ଲହରୀ ଲୁହ ଝରାଉଛି ।

ଭୁବନେଶ୍ୱର ନାଳରେ ଭାସିଯାଇଥିବା ଯେଉଁ ଜ୍ୟୋତିପ୍ରକାଶ ପାଇଁ ଓଡ଼ିଶାବାସୀ ପ୍ରାର୍ଥନା କରୁଥିଲେ ସେ ଡାକ ଭଗବାନ ଶୁଣିଲେନି । ଯେବେ ମୃତ ଦେହ ମିଳିଲା ସେତେବେଳଠୁ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ବାପା-ମା’ ଓ ସମ୍ପର୍କୀୟଙ୍କ ଉପରେ କ’ଣ ବିତୁଥିବା ତାହା ବଖାଣିବା ବି ମୁସ୍କିଲ । ଜ୍ୟୋତିଙ୍କ ମୃତ ଦେହକୁ ଦେଖି ପରିବାର ଲୋକ ଚିହ୍ନିଛନ୍ତି କିନ୍ତୁ ଜନ୍ମ କରିଥିବା ମା’ ଆଉ ନିଜକୁ ସମ୍ଭାଳି ପାରୁନି । ଛାତିପିଟି କାନ୍ଦି କାନ୍ଦି ତାଙ୍କ ମା’ ଅଚେତ୍ ହୋଇପଡୁଛନ୍ତି ।

ଗତକାଲି ଅପରାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡ଼ିବା ପରେ ଟ୍ୟୁସନ ପାଇଁ ବାହାରିଥିଲେ ଜ୍ୟୋତିପ୍ରକାଶ । ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ ଯିବାକୁ ବାରଣ କରିଥିଲେ । କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରି ଆସିବେ ବୋଲି କହିଥିଲେ ଜ୍ୟୋତି ପ୍ରକାଶ । ମାତ୍ର ବାଟରେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଥିଲା ବୋଲି ଜାଣିନଥିଲେ ଜ୍ୟୋତି । ଶେଷରେ ସେହି ମୁକୁଳା ଡ୍ରେନ୍ ତାଙ୍କ ମୃତ୍ୟୁର କାରଣ ପାଲଟିଲା ।