ଉଦୟପୁର ହତ୍ୟାକାଣ୍ଡକୁ ସାରା ଦେଶର ନିନ୍ଦା, ଟ୍ୱିଟ କରି ସବାନା ଆଜମୀ କହିଲେ ଏଭଳି କଥା

418

କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁର ଠାରେ ହୋଇଥିବା ଧାର୍ମିକ ହତ୍ୟାକାଣ୍ଡକୁ ନେଇ ଏବେ ସାରା ଦେଶର ମାହୋଲ ସରଗରମ ରହିଛି । ଏହାକୁ ନେଇ ବିଭିନ୍ନ ସେଲିବ୍ରେଟିମାନେ ସୋସିଆଲ ମିଡିଆରେ ସେମାନଙ୍କର ପ୍ରତିକ୍ରିୟା ପୋଷ୍ଟ କରିବାରେ ଲାଗିଛନ୍ତି । ବଲିଉଡ ଅଭିନେତ୍ରୀ ସବାନା ଆଜମୀ ସଂପୃକ୍ତ ହତ୍ୟାକାଣ୍ଡକୁ ନେଇ ଏକ ଟ୍ୱିଟ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଏଭଳି ଧାର୍ମିକ ଉନ୍ମାଦନାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଅନୁରୋଧ କରିଛନ୍ତି ସାବନା ଆଜମୀ । ସବୁଠାରୁ ବଡକଥା କି ସେ ତାଙ୍କ ଟ୍ୱିଟରେ କୌଣସି ସଭ୍ୟ ସମାଜରେ ହିଂସାର ସ୍ଥାନ ନାହିଁ ବୋଲି ଲେଖିଛନ୍ତି ।

ସେପଟେ ଉଦୟପୁରରେ କହ୍ନେୟାଲାଲଙ୍କୁ ହତ୍ୟା ପରେ ରାଜ୍ୟ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ତତ୍ପରତା ଦେଖାଇଛନ୍ତି । କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ସଂପୃକ୍ତ ମାମଲାର ଯାଂଚ ଦାୟୀତ୍ୱ ଏନଆଇଏକୁ ହସ୍ତାନ୍ତର କରାଯାଇଛି । ସେପଟେ ଏହି ହତ୍ୟାକାଣ୍ଡ ପରେ ପୁରା ରାଜସ୍ଥାନରେ ହିଂସକ ସ୍ଥିତି ଉପୁଜିଛି । ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଏଭଳି ଘଟଣା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏସବୁ ଭିତରେ ମୃତ କହ୍ନେୟାଲାଲଙ୍କ ପତ୍ନୀ କହିଛନ୍ତି କି ଯଦି ଅପରାଧୀମାନଙ୍କୁ କଠୋର ଦଣ୍ଡ ନମିଳେ ତେବେ ଅନେକ ଲୋକଙ୍କୁ ଏଭଳି ହତ୍ୟା କରାଯିବ ।

କହିରଖୁ କି କିଛିଦିନ ତଳେ ବିଜେପିରୁ ନିଲମ୍ବିତ ପ୍ରବକ୍ତା ନୁପୂର ଶର୍ମା ମୁସଲିମ ସଂପ୍ରଦାୟର ଧର୍ମଗୁରୁଙ୍କୁ ନେଇ କିଛି ବିବାଦୀୟ ବୟାନ ଦେଇଥିଲେ । ଏହାକୁ ନେଇ ସାରା ଦେଶରେ ପ୍ରଦର୍ଶନ ହୋଇଥିଲା । ସେପଟେ ହତ୍ୟାରେ ଶିକାର ହୋଇଥିବା କହ୍ନେୟା ଲାଲ ଏହି ମାମଲାରେ ନୁପୂର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହାପରେ ତାଙ୍କୁ ଧମକ ମିଳିଥିଲା ଓ ମଙ୍ଗଳବାର ଦିନ ତାଙ୍କ ଦର୍ଜୀ ଦୋକାନରେ ୨ ଜଣ ପଶି ତାଙ୍କୁ ହତ୍ୟା କରିଥିଲେ ।