ମିଶନ ଶକ୍ତି ମା’ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଋଣ, ଆସନ୍ତା ୫ ବର୍ଷରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର ।

1,165

କନକ ବ୍ୟୁରୋ : ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏହାସହ ସୁଧ ଫେରସ୍ତ ବାବଦକୁ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଗତ ୫ ବର୍ଷରେ ୯୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି ।

ମିଶନ ଶକ୍ତି ବଜାର ଉଦଘାଟନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ । ଚଳିତବର୍ଷ ମିଶନ ଶକ୍ତିର ମା’ ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି । ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ।

ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମା’ ମାନଙ୍କୁ ସମ୍ମାନ ଓ ଉନ୍ନତି ପାଇଁ ସରକାର ସବୁବେଳେ କାମ କରୁଛନ୍ତି । ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସହଭାଗୀ ହେଉଛନ୍ତି । ନୂଆ ଓଡ଼ିଶା ଗଠନରେ ସାମିଲ ହୋଇଛନ୍ତି ମିଶନ ଶକ୍ତି ମା’ । ମା’ ମାନେ ଏବେ ଏସଏଚଜିରୁ ଏସଏମଇ ହୋଇଛନ୍ତି । ବ୍ୟବସାୟରେ ଆଗକୁ ବଢୁଛନ୍ତି । ମିଶନ ଶକ୍ତିର ମା’ ମାନେ ଭଲ କାମ କରୁଛନ୍ତି ଏବଂ ରୂପାନ୍ତର ଓଡ଼ିଶାରେ ଭାଗିଦାର ସାଜୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।