ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ବିଦେଶକୁ ନେଇ ଦୁର୍ବବ୍ୟବହାର କରିଥିବା ଅଭିଯୋଗ ଆଣିଲେ ଶିଷ୍ୟା ।

634

କନକ ବ୍ୟୁରୋ: ଓଡିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେଶ ବିଦେଶର ନାଁ କରିଥିବା ଶାଶ୍ୱତ ଯୋଶୀଙ୍କୁ ଯୌନ ଶୋଷଣ, ଦୁର୍ବ୍ୟହାର ଅଭିଯୋଗ ଆଣି ଘେରିଛନ୍ତି ତାଙ୍କ ଛାତ୍ରଛାତ୍ରୀ । ନୃତ୍ୟ ଶିଳ୍ପୀ ଯୋଶୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ତାଙ୍କ ପାଖରେ ନୃତ୍ୟ ଶିଖୁଥିବା ଜଣେ ଛାତ୍ର । ଅନ୍ୟପଟେ ଜଣେ ଛାତ୍ରୀ ମଧ୍ୟ ତାଙ୍କ ନାମରେ ଦୁର୍ବ୍ୟହାର ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶାଶ୍ୱତ କହିଛନ୍ତି ତାଙ୍କ ନାମରେ ଅପପ୍ରଚାର କରାଯାଉଛି ।

ଓଡିଶୀ ନୃତ୍ୟକୁ ଦେଶ ତଥା ଦେଶ ବାହାରେ ଲୋକପ୍ରିୟ କରିଥିବା ଏହି ଓଡିଶୀ ନୃତ୍ୟ ଶିଳ୍ପୀଙ୍କ ଯାଦୁକରୀ ପ୍ରଦର୍ଶନ ଯେତିକି ଆକର୍ଷଣୀୟ, ଆଜି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସେତିକି ସାଂଘାତିକ । ନାଚ ଶିଖିବାକୁ ଯାଉଥିବା ଜଣେ ଛାତ୍ର ଆଜି ମିଡିଆ ଆଗକୁ ଆସି ଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଏନେଇ ସେ କିଛି କହିବାକୁ ସାହାସ କରିପାରୁ ନଥିଲେ, ସେଥିପାଇଁ ଚୁପ ଥିଲେ ।

ସଙ୍ଗୀତ ରତ୍ନ ପୁରସ୍କାର ସହ ଆମେରିକା, ଫ୍ରାନ୍ସ, ଇଟାଲୀ, ଫିନଲାଣ୍ଡ, ଜାପାନ, ଥାଇଲାଣ୍ଡ ଓ ଅନ୍ୟ ଦେଶଗୁଡିକରେ ବଡ ବଡ କାର୍ଯ୍ୟକ୍ରମ କରି ବେଶ ଆଦୃତ ହେଉଥିବା ଏହି ନୃତ୍ୟ ଶିଳ୍ପୀଙ୍କୁ ଏବେ ଶିଷ୍ୟ ଓ ଶିଷ୍ୟାମାନେ ଘେରିଛନ୍ତି । ଗୁରୁଦିବସ ଦିନ ଫେସବୁକରେ ଜଣେ ଛାତ୍ରୀ ମଧ୍ୟ ଗୁରୁ ଶାଶ୍ୱତଙ୍କ ବିଷୟରେ ଅଭିଯୋଗର ତାଲିକା ରଖିଛନ୍ତି । ଏହାଛଡା କନକ ନ୍ୟୁଜକୁ ଏକ ଅଡିଓ କ୍ଲିପ ପଠାଇ ସେ କହିଛନ୍ତି, ତାଙ୍କୁ ଶାଶ୍ୱତ ଦୁର୍ବ୍ୟବହାର କରନ୍ତି, ଖରାପ ଭାଷାରେ ଗାଳି ଗୁଲଜ କରନ୍ତି । ଏବଂ ମାଡ ମଧ୍ୟ ମାରନ୍ତି ।

ଲାସ୍ୟକଳା ଇନଷ୍ଟିଚ୍ୟୁଟ ଅଫ ପରଫର୍ମିଂ ଆର୍ଟ୍ସର ପ୍ରତିଷ୍ଠାତା ଏହି ଓଡିଶୀ ଗୁରୁ ଶାଶ୍ୱତ ଯୋଶୀ କହିଛନ୍ତି, ତାଙ୍କ ବିରୋଧରେ କିଛି ଛାତ୍ରଛାତ୍ରୀ ମିଡିଆକୁ ଧରି ଅପପ୍ରଚାର ଚଳାଇଛନ୍ତି । ସେ ଓଡିଶା ଫେରିବା ପରେ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ସେପଟେ ଏନେଇ ଶାଶ୍ୱତଙ୍କ ପତ୍ନୀ ମଧ୍ୟ ମୁହଁ ଖୋଲିଛନ୍ତି । କହିଛନ୍ତି, ଏସବୁ ମିଛ ଅଭିଯୋଗ, ବିଦେଶ ଟ୍ରିପରେ ଏମାନଙ୍କ ନିଆନଯିବାରୁ ଏଭଳି ଅଭିଯୋଗ ଆଣିଛନ୍ତି ।

ଓଡିଶୀ ନୃତ୍ୟକୁ ଲୋକପ୍ରିୟତାର ଏକ ଭଲ ସ୍ତରକୁ ନେଇଥିବା ଏହି ନୃତ୍ୟ ଶିଳ୍ପୀ ଓଡିଶାର ଘରେ ଘରେ ପରିଚିତ । ପ୍ରଥମ ଥର ପାଇଁ ଶାଶ୍ୱତଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିବା ବେଳେ ଏସବୁର ସତ୍ୟାସତ୍ୟ ଅନୁସନ୍ଧାନ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି ।