ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନାବାଳିକା ପତ୍ନୀଙ୍କ ସହ ଶାରିରୀକ ସମ୍ପର୍କ ‘ଦୁଷ୍କର୍ମ’

65

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଅପରାଧ ଭାବେ ଗ୍ରହଣ କରାଯିବ କି ନାହିଁ ଏ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା । ତେବେ ୧୫ରୁ ୧୮ ବର୍ଷ ବୟସର ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି ଆଜି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି । କାରଣ ସହମତି ଭିତିରେ ଶାରୀରିକ ସଂପର୍କ ରଖିବାର ବୟସ ସୀମାକୁ ହ୍ରାସ କରାଯାଇ ପାରିବନି । ଏହି ମାମଲାରେ ପତ୍ନୀ ପୋଲିସରେ ଅଭିଯୋଗ କରିପାରିବେ ବୋଲି କୋର୍ଟ ତାଙ୍କ ନିଷ୍ପତିରେ କହିଛନ୍ତି । ପୋକ୍ସୋ ଆଇନ ଅନୁସାରେ ଏହି ମାମଲାର ବିଚାର ହେବ ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ ।

ଆଇପିସି ୩୭୫ ଧାରା ୨ରେ ପୂର୍ବରୁ ୧୫ରୁ ୧୮ ବର୍ଷ ନାବାଳିକା ପତ୍ନୀ ସହ ଶାରିରୀକ ସମ୍ପର୍କ ରଖିଲେ ତାକୁ ଦୁଷ୍କର୍ମ କୁହାଯାଉନଥିଲା । କେନ୍ଦ୍ର ସରକାର କୋର୍ଟରେ ଏହି ଆଇନର ସମର୍ଥନ ଜଣାଇଥିଲେ । ସାମାଜିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିୟମ ଉପରେ ସଂସଦରେ ମଧ୍ୟ କୌଣସି ଆଲୋଚନା କରାଯାଇନଥିଲା । ଦେଶରେ ଆର୍ଥିକକ୍ଷେତ୍ରରେ ପଛୁଆ ବର୍ଗରେ ଆଜି ବି ବାଲ୍ୟ ବିବାହ ଭଳି ଘଟଣା ସାମ୍ନାକୁ ଆସିଛି ।

ଭାରତରେ ମହିଳାଙ୍କ ବିବାହ ବୟସ ସୀମା ୧୮ ବର୍ଷ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ୨୧ବର୍ଷ ରହିଛି । ଏହି ବୟସ ଠାରୁ କମ୍ ବୟସରେ ବିବାହକୁ ଅପରାଧ ବୋଲି କୁହାଯାଏ । ଆପିସି ନିୟମ ଅନୁସାରେ ଏହିି ମାମଲାରେ ଦୁଇ ବର୍ଷ ଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି । ଏସବୁ ସତ୍ୱେ ଦେଶର ବଡବଡ ସହର ମାନଙ୍କରେ ବାଲ୍ୟବିବାହ ୦.୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗ୍ରାମାଂଚଳରେ ଏହାର ମାତ୍ରା ୦.୩ ପ୍ରତିଶତ ହ୍ରାସ ପାଇଛି ।