ସେକ୍ସ ରାକେଟ ଚାଲିଥିବା ସନ୍ଦେହରେ ପୋଲିସର ଚଢାଉ : ଘର ଭିତରୁ ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ

800

କନକ ବ୍ୟୁରୋ : ଦୁଇ ମାସ ଧରି ଚାଲିଥିଲା ସେକ୍ସ ରାକେଟ । ଆଉ ଏହାକୁ ଠାବ କରିବାରେ ସକ୍ଷମ ହୋଇଛି ଭଦ୍ରକ ପୁଲିସ । ମିଳିଥିବା ସୂଚନା ମୁତାବକ ଭଦ୍ରକ ପୌରାଞ୍ଚଳର ଉପର ବଗୁରାଇସ୍ଥିତ ଦାଗମୁଣ୍ଡ କଲୋନୀର ଏକ ତିନି ମହଲା ଅଟ୍ଟାଳିକାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ୍ ପୁଲିସ ଚଢ଼ାଉ କରି ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଉଠାଇ ନେଇଥିଲା । ରାତିରେ ଥାନାରେ ଅଟକ ରଖି ଏହି ମହିଳା ଓ ପୁରୁଷଙ୍କୁ ପଚରାଉଚରା କରିଥିଲା । ତେବେ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ଦୁଇ ଜଣ ପୁରୁଷଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଛାଡିଦେଇଛି ।

ମିଳିଥିବା ସୂଚନା ମୁତାବକ ଦାଗମୁଣ୍ଡ କଲୋନୀର ଏକ ତିନି ମହଲା ଅଟ୍ଟାଳିକାରେ ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ଲୋକ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଖବର ପାଇବା ପରେ ସେହି ଘର ଉପରେ ଚଢ଼ାଉ କରିଥିଲା । ଭଦ୍ରକ ସହରରେ ସେକ୍ସ ରାକେଟ ଟିମ୍ ସକ୍ରିୟ ହୋଇଥିବା ବେଳେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।ଏହି ରାକେଟରେ ଆଉ କିଏ କିଏ ସଂପୃକ୍ତ ରହିଛନ୍ତି ସେ ବାବଦରେ ଅଧିକ ତଦନ୍ତ ଚାଲୁ ରହିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଭଦ୍ରକ ଟାଉନ୍ ଥାନା ଆଇଆଇସି ଚନ୍ଦନ ଘଡାଇ ପ୍ରକାଶ କରିଛନ୍ତି ।