କାଲିଠୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡିବ ଟ୍ରେନ୍ । ଭିଡିଓ କନଫରେନସିଙ୍ଗ ଜରିଆରେ ଉଦଘାଟନ୍ କରିବେ କେନ୍ଦ୍ର ରେଳମନ୍ତ୍ରୀ । ସେପଟେ ପୂର୍ବ ପାସେଞ୍ଜର ଟ୍ରେନର ସମୟରେ ହେଲା ପରିବର୍ତ୍ତନ ।

523

କନକ ବ୍ୟୁରୋ : ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର । କାଲି ପୂରଣ ହେବ ନୟାଗଡ଼ବାସୀଙ୍କ ବହୁ ଦିନର ସ୍ୱପ୍ନ । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ବି ସହରବାସୀଙ୍କ ପାଇଁ ଭୁବନେଶ୍ୱରରୁ ନୟାଗଡ଼କୁ ଚାଲିବ ଏକ୍ସପ୍ରେସ୍ । ତେବେ ଏହି ଟ୍ରେନର ନାଁ ‘ସେବା ସର୍ଭିସ୍ ଏକ୍ସପ୍ରେସ୍’ ରହିବ ବୋଲି ରେଳପଥ ତରଫରୁ ନିଷ୍ପତି ହୋଇଛି । ଆଉ ଏହି ‘ସେବା ସର୍ଭିସ ଏକ୍ସପ୍ରେସ୍‘ ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱର ଷ୍ଟେସନରୁ ଛାଡ଼ିବ ଏବଂ ରାତି ୯ଟାରେ ନୟାଗଡ଼ ପହଞ୍ଚିବ ।

ଅନ୍ୟପକ୍ଷରେ କାଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ସେବା ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅରୁଣ ସାହୁ ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ପୁରୀ ସାଂସଦ ପିନାକୀ ମିଶ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ସେବା ସର୍ଭିସ ଏକ୍ସପ୍ରେସ୍ ଖୋର୍ଦ୍ଧା ରୋଡ଼, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଓ ବୋଲଗଡ଼ରେ ଷ୍ଟେସନ୍ ଠାରେ ଅଟକିବ । ତେବେ ଏହି ଏକ୍ସପ୍ରେସ୍ ଚାଲିବା ଦ୍ୱାରା ସନ୍ଧ୍ୟା ସମୟରେ ଲୋକଙ୍କୁ ନୟାଗଡ଼ରୁ ଭୁବନେଶ୍ୱ ଯିବା ଆସିବାରେ ହଇରାଣ ହେବାକୁ ପଡ଼ିବ ନାହିଁ। ଦିନକୁ ଦିନ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ କାମ ଦ୍ରୁତ ଗତିରେ ଆଗକୁ ବଢୁଛି । ନିର୍ଦ୍ଧାରିତ ସମୟ ଭିତରେ ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୩୧) ଖୋର୍ଦ୍ଧା ରୋଡ଼ଠାରୁ ବର୍ତ୍ତମାନର ଚଳାଚଳ ସମୟ ସକାଳ ୭ଟା ୧୫ ପରିବର୍ତ୍ତେ ସକାଳ ୮ଟା ୨୦ରେ ଛାଡ଼ିବ । ନୟାଗଡ଼ ଟାଉନଠାରେ ସକାଳ ୮ଟା ୫୫ ପରିବର୍ତ୍ତେ ପୂର୍ବାହ୍ନ ୯ଟା ୪୫ରେ ପହଞ୍ଚିବ । ଫେରିବା ବାଟରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର( ୫୮୪୩୨) ନୟାଗଡ଼ ଟାଉନଠାରୁ ବର୍ତମାନ ସମୟ ପୂର୍ବାହ୍ନ ୯ଟା ୨୦ ପରିବର୍ତ୍ତେ ପୂର୍ବାହ୍ନ ୧୦ଟାରେ ଛାଡ଼ିବ । ଖୋର୍ଦ୍ଧା ରୋଡ଼ଠାରେ ୧୧ଟା ୫ ପରିବର୍ତ୍ତେ ୧୧ଟା ୪୫ରେ ପହଞ୍ଚିବ ।

ସେହିପରି ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୨୯) ଖୋର୍ଦ୍ଧା ରୋଡ଼ଠାରୁ ବର୍ତ୍ତମାନ ଚଳାଚଳ ସମୟ ସନ୍ଧ୍ୟା ୭ଟା ୩୦ ପରିବର୍ତ୍ତେ ସନ୍ଧ୍ୟା ୮ଟା ୧୫ରେ ଛାଡ଼ିବ । ରାତି ୯ଟା ୧୦ ପରିବ‌ର୍ତ୍ତେ ୯ଟା ୪୦ରେ ନୟାଗଡ଼ ଟାଉନଠାରେ ପହଞ୍ଚିବ । ଫେରିବା ପଥରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର(୫୮୪୩୨) ସମୟ ସାରଣୀ ଅପରିବର୍ତ୍ତିତ ରହିବ । ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସକାଳ ୫ଟାରେ ନୟାଗଡ଼ ଟାଉନ୍‌ରୁ ଛାଡ଼ି ୬ଟା ୪୫ରେ ଖୋର୍ଦ୍ଧା ରୋଡ଼ଠାରେ ପହଞ୍ଚିବ ।