ଫୋନି ବଦଳାଇ ଦେଇଛି ପିପିଲିର ଚିତ୍ର ! ଭାଙ୍ଗିଯାଇଛି ଶତାଧିକ ନଡିଆ ଗଛ, ଉଜୁଡା ଫସଲକୁ ଦେଖି ଚିନ୍ତାରେ ଚାଷୀ

ପ୍ରଳୟ ପରେ ବଦଳି ଯାଇଛି ପିପିଲିର ଦୃଶ୍ୟ

131

କନକ ବ୍ୟୁରୋ : ପ୍ରଳୟ ପରେ ବଦଳି ଯାଇଛି ପିପିଲିର ଦୃଶ୍ୟ । ଉଜୁଡି ଯାଇଛି ଚାଷ । ଭାଙ୍ଗି ପଡିଛି ଶହ ଶହ ନଡିଆ ଗଛ । ନଡିଆ ବଗିଚାରେ ପଡି ରହିଛି ଶତାଧିକ ଭଙ୍ଗା ଗଛ । ପୁରା ଛାରଖାର ହୋଇଯାଇଛି ନଡିଆ ବଗିଚା । ଯେଉଁ ଗଛ କରିବାକୁ ଚାଷୀକୁ ବର୍ଷ ବର୍ଷ ଲାଗିଯାଇଥିଲା ସେହି ଗଛ ମାତ୍ର କିଛି ସମୟ ଭିତରେ ଭାଙ୍ଗି ଦେଇଛି ବାତ୍ୟା ଫୋନି । ରହି ଯାଇଛି କିଛି ଅଧା ଭଙ୍ଗା ଗଛ । ଯୁଆଡେ ଚାହିଁ ବ ଖାଁ ଖାଁ ଲାଗୁଛି । ଏହି ଦୃଶ୍ୟରୁ ହିଁ ଜଣାପଡୁଛି କେତେ ଭୟଙ୍କର ଥିଲା ଫୋନୀର ତାଣ୍ଡବ ।

ପିପିଲି ଅଂଚଳରେ ନଡିଆ ଚାଷ ସାଧାରଣ ଲୋକଙ୍କ ଆୟର ଏକ ପ୍ରମୁଖ ଉତ୍ସ ହୋଇଥିବାରୁ ଏହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବାତ୍ୟା ଫୋନି ଚନ୍ଦ୍ରଭାଗାରେ ମାଡ ହୋଇଥିବାରୁ ଏହାର ବିଶେଷ ପ୍ରଭାବ ପିପିଲି ଉପରେ ପଡିଛି । ବହୁ ସଂଖ୍ୟାରେ ଘର ଭାଙ୍ଗିପଡିଛି । ଏହି ଅଂଚଳରେ ଲୋକଙ୍କ ଜୀବନ ମଧ୍ୟ ଯାଇଛି ।

ତେବେ ନିଜ ପରିଶ୍ରମରେ ନଡିଆ ଗଚ ଲଗାଇଥିବା ଚାଷୀ ନିଜର ଉଜୁଡା ଗଛକୁ ଦେଖି ଭାଙ୍ଗି ପଡିଛି । କେତେ ପୁରୁଣା ଗଛ ଏହି ବାତ୍ୟାରେ ଉଜାଡିଯାଇଛି ତାହାକୁ କହିବା ବା ଗଣିବା ବି କଷ୍ଟ ସାଧ୍ୟ । ତଥାପି ହାର ନମାନି ସେହି ଭଙ୍ଗାଗଛକୁ ଗୋଟାଇବାରେ ଲାଗିଛନ୍ତି । ମନରେ କଷ୍ଟ ଥିଲେ ମଧ୍ୟ ପୁଣି ଥରେ ନିଜର ସେହି ପୁରୁଣା ନଡିଆ ବାଡି କରିବା ପାଇଁ ଆଶା ନେଇ ବଞ୍ଚିଛି ଚାଷୀ ।