ବାରିପଦା ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ଧୂଆଁମୟ ଓଟି ଓ ଆଇସିୟୁ

ବାରିପଦା ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ଧୂଆଁମୟ ଓଟି ଓ ଆଇସିୟୁ

କନକ ବ୍ୟୁରୋ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ମହଲାରେ, ଅପରାହ୍ନରେ ଅଚାନକ ଲାଗି ଯାଇଥିଲା ନିଆଁ । କେହି କିଛି ବୁଝିବା ପୂର୍ବରୁ ମାତ୍ର ଅଳ୍ପ କିଛି ସମୟ ଭିତରେ, ଧୂଆଁମୟ ହୋଇଯାଇଥିଲା ପୂରା ଅଞ୍ଚଳ । ତୃତୀୟ ମହଲାରେ ଥିବା ପ୍ରସୂତୀ ବିଭାଗର ଓଟି ଓ ଆଇସିୟୁର ଚାରିଆଡେ କେବଳ ଧୂଆଁ ହିଁ ଧୂଆଁ ଦେଖାଯାଉଥିଲା । ଏଭଳି ସ୍ଥିତିରେ ତୃତୀୟ ମହଲାରୁ ରୋଗୀଙ୍କୁ ଉଦ୍ଧାର କରିବା ମେଡିକାଲ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବାହିନୀକୁ ଦୀର୍ଘ ସମୟ କସରତ କରିବାକୁ ପଡିଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଆଁ ଲାଗିବା ସମୟରେ ଓଟିରେ ଜଣେ ରୋଗୀଙ୍କର ଚାଲିଥିଲା ଅପରେସନ । ଅପରେସନ ପ୍ରାୟ ଅଧା ଅଧି ସରିଥିଲା । ଆଉ ସେହି ସମୟରେ ନିଆଁ ଲାଗିଯିବାରୁ, ତାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରି, ଅପରେସନ ସାରିବା ମେଡିକାଲ କର୍ତୁପକ୍ଷଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ତେବେ ସୌଭାଗ୍ୟବସତଃ ସେହି ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବା ସହ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ଦେଇଛନ୍ତି କତୁର୍ପକ୍ଷ ।

ସେହିପରି ତୃତୀୟ ମହଲାରେ ଥିବା ଓଟି, ଆଇସିୟୁ ଓ ୱାର୍ଡରେ ଥିବା ଅନ୍ୟ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉଦ୍ଧାରକାରୀ ଦଳ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ତୃତୀୟ ମହଲାରେ ଧୂଆଁ ବ୍ୟାପି ଚାଲିଥିବାରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜଣେ ରୋଗୀଙ୍କ ସମ୍ପର୍କୀୟ ହାତରେ ବ୍ଲଡ ପ୍ୟାକେଟ୍ ଧରିଦୌଡୁଥିବା ଦେଖିବାକୁ ମିଳିଥିଲା । ଆଉ ଜଣେ ମହିଳା ନବଜାତକ ଶିଶୁକୁ ଧରି କେମିତି ବାହାରୁଛନ୍ତିି । ସେମାନଙ୍କ ମୁହଁରୁ ବାରି ହୋଇପଡୁଛି, ସେମାନେ କେମିତି ଆତଙ୍କିତ ହୋଇପଡିଛନ୍ତି ।

ତେବେ ଦୀର୍ଘ ସମୟର କସରତ ପରେ ନିଆଁକୁ ଆୟତ କରାଯାଇଛି । ଏବଂ ସବୁ ରୋଗୀ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି । କିନ୍ତୁ ଅଗ୍ନିକାଣ୍ଡ ପରେ ଭୟଭୀତ ହୋଇପଡିଛନ୍ତି ରୋଗୀ ଓ ସମ୍ପର୍କୀୟ । ଏପରିକି ଚିକିତ୍ସିତ ହେଉଥିବା ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ଆଜିର ଅଗ୍ନିକାଣ୍ଡ ପାଇଁ ଦାୟୀ କିଏ? ନିର୍ଦ୍ଧିଷ୍ଟ ବ୍ୟବଧାନରେ ଅଗ୍ନିନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରାଯାଉନି କି? ଯଦି କୌଣସି ରୋଗୀର କ୍ଷତି ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ରହିଥାନ୍ତା? ଏଥିସହ ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe