କନକ ବ୍ୟୁରୋ : ପଂଚାୟତ ମତଦାନ ପାଖେଇ ଆସୁଥିବା ବେଳେ ପୁରୀ ଜିଲ୍ଲା ପିପିଲିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ତେଇଶିପୁର-ସହଜପୁର ମଧ୍ୟବର୍ତୀ ଅଂଚଳ ଓଡ଼ସମୁଦୀରେ ପ୍ରଚାର ଚାଲିଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଦେଖିବାକୁ ମିଳିଛି । ଗଣ୍ଡଗୋଳରେ ବିଜେପି କର୍ମୀଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି । ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ପ୍ରତିବାଦରେ ପୁରୀ ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀ ସାତଶଙ୍ଖ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି ।

Advertisment

ସେପଟେ, ପିପିଲିରେ ନିର୍ବାଚନୀ ହିଂସା ଯୋଗୁଁ ତୀବ୍ର ଉତେଜନା ପ୍ରକାଶ ପାଇଛି । ୨୪ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ହୋଇଛି । ଆକ୍ରମଣ ପଛରେ ସ୍ଥାନୀୟ ବିଜେପି ନେତାଙ୍କ ହାତ ଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ଗିରଫ ଦାବିରେ ପୁରୀ-ଭୁବନେଶ୍ୱର ରାଜରାସ୍ତାକୁ ଅବରୋଧ କରି ନାରାବାଜି କରିଥିଲେ ବିଜେଡି କର୍ମୀ ଓ ସମର୍ଥକ । ରାସ୍ତାରୋକ ଯୋଗୁଁ ଯାତାୟତ ପ୍ରଭାବିତ ହୋଇଥିଲା ଓ ରାସ୍ତାର ଦୁଇ ପାଖରେ ଅଟକି ଯାଇଥିଲା ଶତାଧିକ ଗାଡି ।

ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଂଚି ଉତେଜନାକୁ ନିୟନ୍ତ୍ରଣ କରିଛି । ଦୁର୍ବୃତଙ୍କ ଆକ୍ରମଣରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଗାଲ ଓ କାନମୁଣ୍ଡାରେ ଆଘାତ ଲାଗିଛି । ଆକ୍ରମଣରେ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ପିପିଲି ପୋଡଙ୍ଗ ଗାଁକୁ ପ୍ରଚାର ପାଇଁ ଯାଇଥିବା ବେଳେ ତିନି ଜଣ ଯୁବକ ଧରଣୀଧର ସାହୁଙ୍କୁ ଅଚାନକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଜୋରଦାର ହେବାରେ ଲାଗିଛି ନିର୍ବାଚନୀ ହିଂସା । ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡିବା ପୂର୍ବରୁ ଢେଙ୍କାନାଳ ହିନ୍ଦୋଳରେ ଜଣେ ସରପଂଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି । ରାଶୋଳରେ ସରପଂଚ ପ୍ରାର୍ଥୀ ପିଂଟୁ ସେଠୀ ଓ ତାଙ୍କ ସହଯୋଗୀ ଭରତ ସାହୁ ପ୍ରଚାର କରୁଥିବାବେଳେ ଆକ୍ରମଣ କରିଛନ୍ତି ପ୍ରତିପକ୍ଷ । ଅଭିଯୋଗ ହୋଇଛି ପୂର୍ବତନ ସରପଂଚଙ୍କ ସ୍ୱାମୀ ରମେଶ ସାହୁ ଉଭୟଙ୍କୁ ଆକ୍ରମଣ କରିଥିଲେ । ମାଡ ମାରି ଲହୁ ଲୁହାଣ କରି ପକାଇଥିବାବେଳେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ । ଉଭୟ ଆହତ ହୋଇ ରାଶୋଳ ମେଡିକାଲରେ ଭର୍ତି ହୋଇଥିବାବେଳେ, ଥାନାରେ ମାମଲା ଦାୟର ହୋଇଛି ।

ଗଂଜାମ ଦିଗପହଣ୍ଡିରେ ରାଜନୈତିକ ହିଂସା । ବାସୁଦେବପୁର ପଂଚାୟତରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଏଥିରେ ପ୍ରାୟ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।