ମାଡ଼ି ଆସୁଛି ୟାସ୍ : ଆଜିଠାରୁ ପ୍ରକୋପ, ଅଧିକାଂଶ ଜିଲ୍ଲାରେ ଭୀଷଣ ବର୍ଷା ଆରମ୍ଭ

700

କନକ ବ୍ୟୁରୋ : ହଠାତ୍ ସ୍ଥିର ହୋଇଗଲା ବାତ୍ୟା ‘ୟାସ୍’, ସୋମବାର ମଧ୍ୟାହ୍ନ ଯାଏ। ସମୁଦ୍ର ଭିତରେ ରହି ଯଥେଷ୍ଟ ବଳ ଗୋଟାଇଲା। ବାତ୍ୟା ରୂପ ଧାରଣ କରିବା ପରେ ଶକ୍ତିଶାଳୀ ହୋଇ ଅପରାହ୍ନ ୫ଟା ଯାଏ ଧୀର ଗତିରେ ଆଗକୁ ବଢ଼ିଲା। ଏବେ ଧୀରେ ଧୀରେ ଅଧିକ ଭୟଙ୍କର ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉପକୂଳ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ବେଳକୁ ବେଳ ଏତେ ଉଗ୍ର ହେଉଛି ଯେ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ଓ ପରବର୍ତ୍ତୀ ୧୨ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇପାରେ।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଉଛି ଯେ ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଭଦ୍ରକ-ବାଲେଶ୍ବର ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ଓ ପୂରା ବାଲେଶ୍ବର ସହର ଉପରେ ତାର ଆଖି ରହିବ। ଏହାର ପ୍ରଭାବରେ ଉତ୍ତର ଉପକୂଳରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବ। ଘଣ୍ଟାପ୍ରତି ୧୫୫ରୁ ୧୬୫, ବେଳେ ବେଳେ୧୮୫ କିଲୋମିଟର ବେଗରେ ପବନ ମାଡ଼ କରି ସମୁଦାୟ ଅଞ୍ଚଳରେ ଧ୍ବଂସର ତାଣ୍ଡବଲୀଳା ସୃଷ୍ଟି କରିବ। ଗୋଟିଏ ଧାଡ଼ିରେ କହିଲେ, ୨୬ ତାରିଖ ସକାଳେ ‘ୟାସ୍’ର ଭୀଷଣ ରୂପ ଦେଖିବ ଓଡ଼ିଶା।

ଆଜି ସକାଳ ସାଢେ ପାଞ୍ଚଟା ବେଳେ ବାତ୍ୟା ‘ୟାସ୍’ ରୂପ ଧାରଣ କରିଛି। ରିପୋର୍ଟ ଲେଖା ହେବା ବେଳକୁ ଏହା ପାରାଦୀପ ଠାରୁ ୪୨୦କିଲୋମିଟର ଏବଂ ବାଲେଶ୍ବର ଠାରୁ ୫୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ଏବଂ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅର୍ଥାତ୍ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ବାତ୍ୟାର ପ୍ରଭାବ ଉଭୟ ୨୫ ତାରିଖ ଏବଂ ୨୬ ତାରିଖରେ ପଡ଼ିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଂଜ, କଟକ ଏବଂ ଯାଜପୁର ସର୍ବାଧିକ ପବନ ପାଇବେ। ଖୋର୍ଧା ଏବଂ ପୁରୀରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବ, ମଝିରେ ମଝିରେ ୧୧୦ କିଲୋମିଟର ବେଗରେ ଆସି ଝଟ୍‌କା ଦେବ।

ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ପୁରୀରେ ପ୍ରବଳ ବର୍ଷା ହେବ। କିନ୍ତୁ ସକାଳ ସାଢ଼େ ଆଠଟା ପରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହି ସମୟରେ ମୟୂରଭଂଜ, ଢେଙ୍କାନାଳ ଏବଂ ଗଂଜାମରେ ମଧ୍ୟ ପ୍ରବଳ ବର୍ଷା ହେବ।

ସେହିପରି ୨୬ ତାରିଖ ସକାଳ ୮ଟା ପରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଂଜ,କେନ୍ଦୁଝର ଏବଂ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅନୁଗୁଳ, ଦେବଗଡ, ଖୋର୍ଧା, ପୁରୀ ଏବଂ ସୁନ୍ଦରଗଡରେ ସେହି ସମୟରେ ପ୍ରବଳ ବର୍ଷା ହେବ। ୨୭ ତାରିଖରେ ସୁନ୍ଦରଗଡ଼, ଦେବଗଡ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

୨୫ ତାରିଖ ଅପରାହ୍ନରୁ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ପବନର ଗତି ବଢ଼ିବ। ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର, ସ୍ଥଳବିଶେଷରେ ୧୧୦ କିଲୋମିଟର ବେଗରୁ ଉପକୂଳକୁ ଘାଣ୍ଟିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ପୁରୀ ଜିଲ୍ଲାରେ ୬୦ରୁ ୮୦ କିଲୋମିଟରରେ ପବନ ହେବ ଓ ବେଳେ ବେଳେ ୯୦ କିଲୋମିଟର ବେଗରେ ଆସି ଝଟ୍‌କା ଦେବ। ଗଞ୍ଜାମ, ଖୋର୍ଧା, କଟକ, ଯାଜପୁର ଏବଂ ମୟୂରଭଂଜରେ ସେହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ସ୍ଥଳବିଶେଷରେ ପବନର ବେଗ ୬୦ କିଲୋମିଟର ଯାଏ ଛୁଇଁପାରେ।