ଆଗାମୀ ୨୪ ଘଣ୍ଟା ଭିତରେ ପ୍ରଳୟ ରଚାଇପାରେ ‘ଫୋନି’: ବାତ୍ୟା ମୁକାବିକା ପାଇଁ ସଜାଗ ରାଜ୍ୟ ସରକାର, ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଏନଡିଆରଏଫ, ଓଡ୍ରାଫ, ସ୍ଥଳ ଏବଂ ନୌସେନା

846

କନକ ବ୍ୟୁରୋ: ‘ଫୋନି’ର ପ୍ରଭାବରେ ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ଗଞ୍ଜାମ, କେନ୍ଦ୍ରାପଡା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲା କରିଦିଆଯାଇଛି । ଫୋନି ପାଇଁ ପ୍ରଭାବିତ ହେବାକୁ ଥିବା ଅଂଚଳରେ ଖାଦ୍ୟ ଏବଂ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା ଫୋନିର ସ୍ଥିତି ନେଇ ସମୀକ୍ଷା କରିଥିଲେ । ପୂର୍ବରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟରେ ହୋଇଥିବା ବୈଠକରେ ସ୍ୱତନ୍ତ୍ର ରିିଲିଫ କମିଶନର, ପୋଲିସ ଡିଜିଙ୍କ ସହ ଏନଡିଆରଏଫ, ସ୍ଥଳ ସେନା, ନୌସେନା,ଓଡ୍ରାଫ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉପକୂଳ ଓ ଦକ୍ଷିଣ ଓଡିଶାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ୧୨ୟୁନିଟ ଏନଡିଆରଏଫ, ୨୦ ୟୁନିଟ ଓଡ୍ରାଫ ଏବଂ ୩୩୫ଟି ଫାୟାର ଷ୍ଟେସନ ୟୁନିଟ ସଜାଗ ରହିବେ । ସାଇକ୍ଲୋନ ଆଶ୍ରୟ ସ୍ଥଳଗୁଡିକୁ ପ୍ରସ୍ତୁତ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଆଜି ଠାରୁ ଧରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ସମସ୍ତ ଜିଲ୍ଲାର ମୁଖ୍ୟ ମେଡିକାଲ ଅଫିସରମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବା ପାଇଁ ଚିଠି ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ଛୁଇଁବା ପରେ ଏହା ଓଡିଶାର ଗଜପତି ଜିଲ୍ଲାରେ ପହଂଚିବାର ସମ୍ଭାବନା ରହିଛି । ଏହା ପରେ ଫୋନି ଉତରପୂର୍ବ ଦିଗରେ ଗତି କରିବା ସହିତ ଓଡିଶାର ଉପକୂଳବର୍ତି ଜିଲ୍ଲା ସମେତ ମୟୂରଭଞ୍ଜ ଯାଏଁ ଯିବାର ସମ୍ଭାବନା ଅଛି ।

ଫୋନିର ପ୍ରଭାବରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଏବଂ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି । ଏହି ସବୁ ଜିଲ୍ଲାମାନଙ୍କୁ ସତର୍କ କରାଇ ଦିଆଯାଇଛି । ବିଶେଷକରି ଔଷଧ ଠାରୁ ଆରମ୍ଭ କରି ସମସ୍ତ ଦରକାରୀ ଆସବାବ ସାମଗ୍ରୀ ସହିତ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ।