ହିମାଳୟରେ ପ୍ରବଳ ବର୍ଷା, ବଢ଼ୁଛି ଅଳକାନନ୍ଦାର ଜଳସ୍ତର : ଉତ୍ତରାଖଣ୍ଡର ବିଭିନ୍ନ ଅଂଚଳ ଜଳମଗ୍ନ; ଶ୍ରୀନଗର, ପାଉରୀ, ଗରୱାରରେ ବି ବନ୍ୟା ପରିସ୍ଥିତି

166

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଂଚଳରେ ଜମୁଛି ପାଣି । ଲ୍ୟାଣ୍ଡସ୍ଲାଇଡ଼ ଯୋଗୁଁ ରିଶିକେଶ-ଶ୍ରୀନଗର ରାସ୍ତା ମଧ୍ୟ ବନ୍ଦ ହୋଇପଡ଼ିଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଅଳକାନନ୍ଦା ନଦୀ । ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଲଗାତର ବର୍ଷା ଜାରି ରହିଥିବାରୁ ବନ୍ୟା ଭଳି ସ୍ଥିତି ଦେଖାଦେଇଛି । ବିହାର, ଉତ୍ତରପ୍ରଦେଶ, ଉତରାଖଣ୍ଡରେ ମଧ୍ୟ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଲୋକେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି ।

ମୌସୁମୀର ଆଗମନ ସହିତ ଭୟଙ୍କର ଚିତ୍ର ଉତ୍ତରାଖଣ୍ଡରୁ ଆସିବାରେ ଲାଗିଛି । ଲାଗାତର ବର୍ଷା ଜାରି ହେବା ଫଳରେ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନିକଟସ୍ଥ ଗ୍ରାମରେ ରହୁଥିବା ଲୋକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି । କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ନଦୀ କୂଳରେ ଏବଂ ଏହା ଉପରେ ନିର୍ମିତ ସେତୁ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

କେବଳ ପିଥୋରାଗଡରୁ ନୁହେଁ ଉତ୍ତରପ୍ରଦେଶର ଚାମୋଲିରୁ ମଧ୍ୟ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଲଗାତାର ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ହେତୁ ଲୋକଙ୍କ ସମସ୍ୟା ବଢି ଚାଲିଛି । ଏଥି ସହ ୟୁପିର ମୋରାଡାବାଦରେ ପ୍ରବଳ ବର୍ଷା ହେତୁ ରାସ୍ତାଗୁଡ଼ିକ ଜଳବନ୍ଦୀ ହୋଇ ରହିଛି । ଯେଉଁଥିପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।