କନକ ବ୍ୟୁରୋ: ଓଡିଶା ଏକ ଉପଭୋକ୍ତା ରାଜ୍ୟ । ମାଛ, ଅଣ୍ଡା ପାଇଁ ପଡୋଷୀ ଆନ୍ଧ୍ରପ୍ରଦେଶ ଉପରେ ଆମର ନିର୍ଭରତା କମିନାହିଁ । ଆଳୁ, ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ପରିବାର ଚାହିଦା ମେଣ୍ଟାଇବାକୁ ଅନ୍ୟ ରାଜ୍ୟରୁ ଆମଦାନୀ କରିବାକୁ ପଡୁଛି । ପଶ୍ଚିମବଙ୍ଗର ଆଳୁ ଏବଂ ମହାରାଷ୍ଟ୍ରର ପିଆଜ ଉପରେ ଆମ ହାଣ୍ଡିଶାଳ ନିର୍ଭରଶୀଳ । ହେଲେ ନିକଟରେ ପ୍ରକାଶ ପାଇଥିବା ନୀତି ଆୟୋଗ ରିପୋର୍ଟ, ଓଡିଶାର ଏକ ନିଆରା ସଫଳତାକୁ ଦର୍ଶାଇଛି । ବିଦେଶକୁ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ବିକଶିତ ରଜ୍ୟଗୁଡିକଠାରୁ ଆଗରେ ରହିଛି ଓଡିଶା । ସାରାଦେଶରେ ଓଡିଶା ସପ୍ତମ ବୃହତମ ରପ୍ତାନିକାରୀ ରାଜ୍ୟ ।

Advertisment

ରପ୍ତାନୀରେ ଆଗୁଆ ଓଡି଼ଶା

  • ୨୦୨୧-୨୨ରେ ଓଡି଼ଶାରୁ ୧୭.୦୬ ବିଲିୟନ୍ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ ହୋଇଛି
  • ଗୋଟିଏ ବର୍ଷରେ ରପ୍ତାନୀ ହୋଇଛି ପ୍ରାୟ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ
  • ୨୦୨୦-୨୧ ତୁଳନାରେ ୬୬% ବଢ଼ିଛି ରପ୍ତାନୀ ଓ ରାଜ୍ୟ ଜିଡିପିର ୩୫% ରପ୍ତାନୀରୁ ଆସିଛି
  • ଖଣିଜ ସଂପଦ ଭରା ଓଡି଼ଶା, ବିଦେଶକୁ ଚିଙ୍ଗୁଡ଼ି ରପ୍ତାନୀରେ ବିରଳ ରେକର୍ଡ କରିପାରିଛି
  • ବିଶେଷ କରି ଷ୍ଟିଲ, ଆଲୁମିନିୟମ, କ୍ରୋମିୟମ୍ ଓ ଚିଙ୍ଗୁଡି଼ ରପ୍ତାନୀ ବଢୁଛି

ଏବେ ୩୬ଟି ବିଦେଶୀ ରାଷ୍ଟ୍ରକୁ ଓଡିଶା ଚିଙ୍ଗୁଡି ଯାଉଛି । କିନ୍ତୁ ଓଡିଶାରେ ଉତ୍ପାଦନ ଅଧିକ ହେଉନଥିବାରୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆଣି ବିଦେଶକୁ ଚିଙ୍ଗୁଡି ରପ୍ତାନୀ କରାଯାଉଥିବା କହିଛନ୍ତି ଫାଲକନ୍ ଗ୍ରୁପ ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ । ଏଥିପାଇଁ ଓଡିଶାରେ ଲ୍ୟାଣ୍ଡ ପଲିସିକୁ ସେ ଦାୟୀ କରିଛନ୍ତି । ଚିଙ୍ଗୁଡି ଚାଷ ପାଇଁ ଭଲ ଭିତିଭୂମି ନଥିବାରୁ ଓଡିଶାରେ ଅଧିକ ଉତ୍ପାଦନ ହୋଇପାରୁନଥିବା ସେ ମତ ରଖିଛନ୍ତି । ତେଣୁ ଏହି ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ରପ୍ତାନୀ କ୍ଷେତ୍ରରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦେଶର ୨୫ଟି ଜିଲ୍ଲା ମଧ୍ୟରେ ଓଡିଶାର ଝାରସୁଗୁଡା ଜିଲ୍ଲା ଟପ୍ ୩ରେ ରହିଛି । ଏଠାରୁ ଅଧିକ ଇଂଜିନିୟରିଂ ଗୁଡସ ବିଦେଶକୁ ରପ୍ତାନୀ ହେଉଛି । ରାଜ୍ୟର ମୋଟ୍ ରପ୍ତାନୀ କ୍ଷେତ୍ରକୁ ଏହି ଜିଲ୍ଲାର ଅବଦାନ ୨୯.୮୬ ପ୍ରତିଶତ ରହିଛି ।