କନକ ବ୍ୟୁରୋ: ପିଢ଼ି ପରେ ପିଢ଼ି ନିଜର କୌଳିକ ବୃତିକୁ ଆପଣାଇ ରୋଜଗାରର ବାଟ ବାଛିଛନ୍ତି ନିଆଳି ରତନପୁର ପଞ୍ଚାୟତ ଜାହାଙ୍ଗିରପୁର ଗାଁର ବେହେରା ପରିବାର । ତାଳପତ୍ରରୁ ପଟି, ଭୋଗେଇ, ବିଚଣା, ଖଜୁରୀପତ୍ର ଝାଡୁ ତିଆରି କରି ବଜାରରେ ବିକ୍ରି କରୁଛନ୍ତି ଏହି ଗାଁର ୧୭ଟି ପରିବାର । ତାଳପତ୍ର ଭୋଗେଇ ଦେଖିଲେ ଆପେ ଆପେ ମହାପ୍ରଭୁଙ୍କ ସୁଖିଲା ଭୋଗର କଥା ମନକୁ ଆସେ । ବିଭିନ୍ନ ମନ୍ଦିର ସ୍ଥାନମାନଙ୍କରେ ଭୋଗ ଦୋକାନରେ ଏହାକୁ ଦେଖିବାକୁ ମିଳିଥାଏ । ତେଣୁ ଏହି କାରିଗରମାନେ ଭୋଗେଇ ପ୍ରସ୍ତୁତ କରି ଏହି ଦୋକାନମାନଙ୍କୁ ଯୋଗାଣ କରନ୍ତି । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିଲେ ମଧ୍ୟ ନିଜର କୌଳିକ ବୃତିକୁ ବଞ୍ଚାଇ ରଖିବା ପାଇଁ ଏହି କାମ ଜାରି ରଖିଛନ୍ତି କାରିଗର ।

Advertisment

ବିଶେଷକରି ପୁରୀ ଓ କାକଟପୁର ମା ମଙ୍ଗଳାଙ୍କ ସେବା ପାଇଁ ଚଳଚଞ୍ଚଳ ହୋଇ ଉଠିଥାଏ ଏହି ଗାଁ । ପ୍ରଥମେ ଆଖପାଖ ଗାଁରୁ ପୁରୁଷମାନେ ତାଳଗଛରେ ଚଢି ତାଳପତ୍ରକୁ ହାଣି ଆଣିଥାଆନ୍ତି । ଏହାକୁ ଆବଶ୍ୟକ ଆକୃତିର କାଟିବା ପରେ ବିଭିନ୍ନ ରଙ୍ଗରେ ଆଚ୍ଛାଦିତ କରାଯାଇ ଭଲ ଭାବରେ ଖରାରେ ଶୁଖାଯାଏ । ପତ୍ରଗୁଡିକ ଶୁଖିବା ପରେ ଏହାକୁ ନେଇ ତାଳପତ୍ର ପେଡି ତିଆରି କରାଯାଏ । କରୋନା ସମୟରେ କଟକଣା ପାଇଁ ଏମାନଙ୍କ ଉପରେ ଏହାର ସିଧାସଖଳ ପ୍ରଭାବ ପଡ଼ିଥିଲା । କଟକଣା ହଟିବା ପରେ ଏବେ ପୁଣି ସ୍ୱାଭାବିକ ହେଉଛି ବ୍ୟବସାୟ । ଦିନକୁ ଦିନ ପ୍ଲାଷ୍ଟିକର ଚାହିଦା ବଢୁଥିବାବେଳେ ଏହି କାରିଗରଙ୍କ ଉପରେ ଚଡକ ପଡୁଛି । ବିକ୍ରି କରିବା ପାଇଁ ବଜାର ନଥିବାରୁ ଶାଗ ମାଛ ଦରରେ ବିକ୍ରୀ ହେଉଛି ସାମଗ୍ରୀ ।