ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ହେବା ପରେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁରୀ ସେବାୟତ, ଅନ୍ୟପଟେ ଅମିତ ଶାହାଙ୍କୁ ଧନ୍ୟବାଦ ଦେଲେ, ଆଉ ଗୋଟିଏ ଗୋଷ୍ଠୀ ସେବାୟତ ।

133

କନକ ବ୍ୟୁରୋ : ବାଇ-ଲ ନିଷ୍ପତି ପ୍ରତ୍ୟାହାର ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ବିଜେପି ନେତାଙ୍କ ସହ ପୁରୀ ସେବାୟତ, ଏପଟେ ଭୁବନେଶ୍ୱରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉ ଏକ ସେବାୟତ ଟିମ । ରାଜ୍ୟରେ ଆରମ୍ଭ ହେଲା ରାଜନୈତିକ ବୟାନ ବାଜି ।

ଗୋଟିଏ ପଟେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଛନ୍ତି କିଛି ସେବାୟତ । ଅନ୍ୟ ଏକ ଦୃଶ୍ୟରେ ଦିଲ୍ଳୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ଆଉ କିଛି ସେବାୟତ । ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । କେଉଁମାନଙ୍କ ଯୋଗୁଁ ବାଇ-ଲ ପ୍ରତ୍ୟାହାର ହେଲା, ସେଥିପାଇଁ ଭାଗ ଭାଗ ହୋଇ ବିଜେଡି ଓ ବିଜେପି ନେତାଙ୍କୁ ଭେଟିଛନ୍ତି ସେବାୟତ ।

ସେବାୟତମାନେ ଭାଗଭାଗ ହୋଇ ଅଲଗା ଅଲଗା ରାଜନୈତିକ ଦଳର ନେତାଙ୍କୁ ଭେଟିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ରାଜନନୈତିକ ଦଳର କର୍ମୀଙ୍କ ଭଳି ସେବାୟତମାନେ ଭାଗ ଭାଗ ହୋଇ ଯାଇଛନ୍ତି କି?

ସେବାୟତମାନେ ଭେଟିବା ପରେ ଶ୍ରୀମନ୍ଦିରର ବିକାଶକୁ କେହି ରୋକିପାରିବେନି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ କେହି ଆକ୍ରମଣ କରିପାରିବେ ନାହିଁ ବୋଲି ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅମିତ୍ ଶାହା । ସେପଟେ ଶ୍ରୀମନ୍ଦିରକୁ ନେଇ ଏନଏମଏର ବାଇ-ଲ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।