କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ଭକ୍ତଙ୍କଠାରୁ ସେବାୟତ ମାନେ ଦାନ ଗ୍ରହଣ ନକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ଚିହିଁକି ଉଠିଛନ୍ତି ଦଇତାପତି ସେବାୟତ । ପରୋକ୍ଷରେ କହିଛନ୍ତି, ଭକ୍ତଙ୍କ ଠାରୁ ଦାନଅର୍ଥ ଗ୍ରହଣ କରିବାକୁ ସେମାନଙ୍କୁ କେହି ରୋକି ପାରିବେ ନାହିଁ । ଯଦି ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରାଯାଏ, ତେବେ ଖୋଲାଖୋଲି ବିଦ୍ରୋହ ହେବ ବୋଲି କହିଛନ୍ତି । ଆଗକୁ ରଥଯାତ୍ରା ଆସୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଲାଗୁ କରିବା, ପ୍ରଶାସନ ପାଇଁ ଏକ ଚ୍ୟାଲେଂଜ୍ ପାଲଟିଛି ।

Advertisment

publive-imageଆଗକୁ ରଥଯାତ୍ରା, ଆଉ ତାପୂର୍ବରୁ ରଥଯାତ୍ରାରେ ଶ୍ରୀଜିଉଙ୍କ ସେବା ଅଧିକାର ପାଇଥିବା ଦଇତାପତି ସେବାୟତ ସିଧାସିଧା କହୁଛନ୍ତି- ଶ୍ରୀମନ୍ଦିର ଭିତରେ ଦାନ ଗ୍ରହଣ ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ ହେଲେ ବିଦ୍ରୋହ ହେବ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମନ୍ଦିର କାନ୍ଥରେ ପ୍ରଶାସନ ନୋଟିସ୍ ସିନା ଲଗାଇ ଦେଇଛି, ଦାନ ନଦେବା ପାଇଁ ଭକ୍ତଙ୍କୁ ସଚେତନ ସିନା କରିଛି, ହେଲେ ସେବାୟତଙ୍କ ବିଦ୍ରୋହ ଚେତାବନୀ ଶ୍ରୀମନ୍ଦିର ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

publive-imageରଥଯାତ୍ରାରେ ଅନେକ ଗୁପ୍ତସେବା ଅଛି ଯାହା କେବଳ ଏହି ଦଇତାପତି ସେବାୟତଙ୍କ ଉପରେ ନ୍ୟସ୍ତ । ଆଉ ଏହି ସେବାୟତମାନେ ଯଦି ନିଜ ଜିଦରେ ଅଡି ବସିବେ, ରଥଯାତ୍ରାରେ କୌଣସି ସମସ୍ୟା ଉପୁଜିବ ନାହିଁ ତାର ଗ୍ୟାରେଣ୍ଟି ଦେବା ପ୍ରଶାସନ ପାଇଁ ଏତେ ସହଜ ହେବନାହିଁ । ପାଉଣା ନମିଳିଲେ ବିଦ୍ରୋହର ଚେତାବନୀ ଦେଉଥିବା ସେବାୟତ, ପ୍ରାପ୍ୟରୁ କେହି ବିଚ୍ୟୁତ କରିପାରିବେ ନାହିଁ ବୋଲି ଖୋଲାଖୋଲି ଶୁଣାଇ ଦେଇଛନ୍ତି ।

ରେକର୍ଡ ଅପ୍ ରାଇଟ୍ସ ଅନୁସାରେ ତ୍ରୟଦଶୀରୁ ନିଳାଦ୍ରୀ ବିଜେ ଯାଏଁ, ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଗୁପ୍ତସେବା କରିଥାନ୍ତି । ତେଣୁ ସେବାୟତଙ୍କ କୌଣସି ବିପରୀତ ନିଷ୍ପତି, ପରମ୍ପରା ବ୍ୟାହତ କରିବାର ଆଶଙ୍କା ସୃଷ୍ଟିକରିଛି । ଏସବୁ ଭିତରେ ସୋମବାର ଜିଲ୍ଲା ଜର୍ଜ ଶ୍ରୀମନ୍ଦିର ଆସି ସ୍ଥିତିର ଅନୁଧ୍ୟାନ କରିବେ । ଏହାକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ଏସଂପର୍କରେ ଆଲୋଚନା ହେବାର ବି କାର୍ଯ୍ୟକ୍ରମ ରହିଛି । ଏପଟେ ଶ୍ରୀମନ୍ଦିରକୁ ନେଇ କୌଣସି ନ୍ୟାୟିକ ପଦକ୍ଷେପ ନେବା ପୂର୍ବରୁ ପୁନବିଚାର କରିବାର ଆବଶ୍ୟକତା ଥିବା କହିଛନ୍ତି ଦଇତାପତି ନିଯୋଗ ସଭାପତି ।ଶ୍ରୀମନ୍ଦିର ଭିତରେ ସେବାୟତ ଦାନ ଗ୍ରହଣ କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଶ୍ରୀମନ୍ଦିର ସଂସ୍କାର ଦିଗରେ ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯିବ । କିନ୍ତୁ ଆଗକୁ ରଥଯାତ୍ରା ଆସୁଛି ଏବଂ ତାପୂର୍ବରୁ ସେବାୟତଙ୍କ ଚେତାବନୀ ପ୍ରଶାସନକୁ ଆହୁରି ଅଡୁଆରେ ପକାଇ ଦେଇଛି । ଏପରିକି ତାଙ୍କୁ ଦାନ ଗ୍ରହଣ କରିବାକୁ ରୋକାଗଲେ ବିଦ୍ରୋହ ହେବ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି ।