କନକ ବ୍ୟୁରୋ: ରତ୍ନଭଣ୍ଡାରର ଭିତର ଭଣ୍ଡାର ଭିରତକୁ ପ୍ରବେଶ କରିଛନ୍ତି ୧୧ ଜଣିଆ ଟିମ୍ । ଏହା ପରେ ପରେ ଭିତର ଭଣ୍ଡାରକୁ ଯିବାକୁ ପ୍ରସ୍ତୁତ ହେଲେଣି ଗଜପତି ମହାରାଜ । ତେବେ ରତ୍ନଭଣ୍ଡାରରେ କ’ଣ ଅଛି ସେନେଇ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ।
ଏହା ଭିତରେ ଜଣେ ସେବାୟତ କହିଛନ୍ତି ରତ୍ନଭଣ୍ଡାର ଭିତରେ ଥିବା ସମ୍ପତ୍ତି କଥା । ରତ୍ନ ଭଣ୍ଡାରକୁ ନେଇ ଅନେକ ରହସ୍ୟମୟ ତଥ୍ୟ ଆସିବାରେ ଲାଗିଛି । ଏହା ଭିତରେ ଏକ ସୁଡଙ୍ଗ ଅଛି ବୋଲି ସୂଚନା ଥିବାବେଳେ ଏହା ଭିତରେ ଏକ ଅମୁହାଁ ଦେଉଳ ଥିବା ଏବେ କୁହାଯାଉଛି । ତେବେ ସେବାୟତଙ୍କ କହିବା ଅନୁସାରେ, ରତ୍ନଭଣ୍ଡାର ଭିତରେ ରହିଛି ଶ୍ରୀଜିଉଙ୍କୁ ଲାଗି ହେବା ପାଇଁ ଅନେକ ଦୁର୍ଲ୍ଲଭ ଅଳଙ୍କାର । ଶ୍ରୀଜିଉଙ୍କ ମସ୍ତକରେ ଲାଗି ହେବାକୁ ରହିଛି ୧୦ ପ୍ରକାରର ୨,୨୦୩ ଭରି ସୁନା ଅଳଙ୍କାର । ଠାକୁରଙ୍କ କାନ ପାଇଁ ରହିଛି ୧,୩୦୯ ଭରିର ୫ ପ୍ରକାରର ଅଳଙ୍କାର । ନାକ ପାଇଁ ରହିଛି ୧୪ ଅଣାର ୩ ପ୍ରକାରର ଅଳଙ୍କାର । ଏହାସହ ବେକ ପାଇଁ ରହିଛି ୧,୮୬୧ ଭରିର ୩୪ ପ୍ରକାରର ଦୁର୍ଲ୍ଲଭ ଅଳଙ୍କାର । ରତ୍ନଭଣ୍ଡାର ଭିତରେ ମହାପ୍ରଭୁଙ୍କ ଭୁଜ ପାଇଁ ରହିଛି ୧,୧୦୧ ଭରିର ୩ ପ୍ରକାରର ଅଳଙ୍କାର । ମଣିବନ୍ଧ ପାଇଁ ରହିଛି ୧୦ ଅଣାର ୧ ପ୍ରକାର ଅଳଙ୍କାର । କମର ପାଇଁ ଅଛି ୩୯୨ ଭରିର ୮ ପ୍ରକାର ଅଳଙ୍କାର । ପାଦ ପାଇଁ ୭୫୫ ଭରିର ୨ ପ୍ରକାରର ସୁବର୍ଣ୍ଣ ଅଳଙ୍କାର । ଏହା ବ୍ୟତୀତ ୫୫୦ ଭରିର ୧୩ ପ୍ରକାରର ଅନ୍ୟ ଅଳଙ୍କାର ରହିଛି ।
ସୁନା ସହ ବିପୁଳ ପରିମାଣର ରୂପା ଅଳଙ୍କାର ମଧ୍ୟ ରହିଛି । ୨,୩୩୩ ଭରିର ୧୫ ପ୍ରକାରର ରୂପା ଅଳଙ୍କାର ରହିଛି । ଠାକୁର ସେବା ପାଇଁ ରହିଛି ୨,୦୮୭ ଭରିର ୧୭ ପ୍ରକାରର ବାସନ । ଏହାବ୍ୟତୀତ ୨୪୯ ଭରିର ୭ ପ୍ରକାରର ଅନ୍ୟ ରୂପା ସାମଗ୍ରୀ । ଏହାସହ ମହାରାଜ ପ୍ରତାପରୁଦ୍ର ଦେବଙ୍କ ସମୟରେ ଯେତିକି ରାଜ୍ୟ ଜୟ କରାଯାଇଛି ସେହି ରାଜାଙ୍କ ସୁନା ହୀରା ଖଚିତ ମୁକୁଟ ରତ୍ନଭଣ୍ଡାର ଭିତରେ ରହିଛି ବୋଲି କହିଛନ୍ତି ସେବାୟତ ।