ଅବଢ଼ା ଦର ବୃଦ୍ଧିର କାରଣ କହିଲେ ସେବାୟତ । କହିଲେ, ଅଳ୍ପ ମାତ୍ରାରେ ତିଆରି ହେଉଥିବାରୁ ପଡୁଛି ଅଧିକ ଦାମ । ଆନନ୍ଦବଜାର ଖୋଲିବା ପରେ କମିବ ମହାପ୍ରସାଦ ମୂଲ୍ୟ ।

161

କନକ ବ୍ୟୁରୋ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଠାକୁର ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ହେଲେ ମହାପ୍ରସାର ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ଖର୍ଚ୍ଚ ବଢ଼ୁଥିବାରୁ ଦର ବଢ଼ିଛି ଓ ଆନନ୍ଦବଜାର ଖୋଲିଲେ ମହାପ୍ରସାଦ ମୂଲ୍ୟ କମିବ ବୋଲି ସୁପକାର ଓ ମହାସୁପକାର ନିଯୋଗ ପକ୍ଷରୁ କୁହାଯାଇଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ବ୍ୟାକୁଳ ହୋଇଥାଏ ଶ୍ରଦ୍ଧାଳୁ । ହେଲେ, ହଠାତ ଦରବୃଦ୍ଧି ଯୋଗୁଁ ସାଧାରଣ ଭକ୍ତଟିଏ ପାଇଁ ମହାପ୍ରସାଦ ଟିକେ ପାଇବା ଏବେ ସ୍ୱପ୍ନ ହୋଇଯାଇଛି । ଯେଉଁମାନେ ଦାବି ଅନୁସାରେ ଟଙ୍କା ଦେଇ ପାରୁଛନ୍ତି ସେମାନେ ଅବଢ଼ା ପାଉଛନ୍ତି । ନଚେତ ମହାପ୍ରସାଦ ନ ପାଇ ଫେରିବାକୁ ବାଧ୍ୟ ହେଉଛନ୍ତି । ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ଯେଉଁ ଅବଢ଼ା ୧୦୦ଟଙ୍କାରେ ମିଳୁଥିଲା ଏବେ ତାର ଦର ୩୦୦ ଟଙ୍କାରେ ପହଁଚିଛି । ଅର୍ଥାତ ପୂର୍ବ ଦର ଅନୁସାରେ ୩ ଗୁଣ ବଢ଼ିଛି ଅବଢ଼ା ଦର ।