ସରକାରୀ ଓ ବେସରକାରୀ କୋଭିଡ୍ ହସ୍ପିଟାଲରେ ୨୪ ଘଂଟିଆ ହେଲ୍ପଡେସ୍କ ବାଧ୍ୟତାମୂଳକ : ହସ୍ପିଟାଲରେ ରହିବ କନଫରେନ୍ସ ହଲ

 ପରିବାର ଲୋକଙ୍କୁ ମିଳିବ ସୂଚନା, ରୋଗୀଙ୍କୁ ଦେଖିବା ସହ କରିପାରିବେ କଥାବାର୍ତା; ସେପଟେ ଆଗାମୀ ଲହରରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଗଠନ ହେଲା କମିଟି   

94

କନକ ବ୍ୟୁରୋ : ଉଭୟ ସରକାରୀ ଓ ଘରୋଇ କୋଭିଡ୍ ହସ୍ପିଟାଲରେ ହେଲ୍ପଡେକ୍ସ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ହେଲ୍ପ ଡେକ୍ସ ୨୪ ଘଂଟିଆ କାମ କରିବ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଏହି ହେଲ୍ପ ଡେକ୍ସ ସୂଚନା ଦେବ । ଏଥିପାଇଁ କର୍ମଚାରୀ ରଖିବେ ହସପିଟାଲ କର୍ତୃପକ୍ଷ । ଏନଜିଓ, ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ।

ହେଲ୍ପ ଡେସ୍କ ପାଇଁ ଟୋଲ ଫ୍ରି ନମ୍ବର ହେଲପ୍ ନମ୍ବର ଜାରି କରାଯିବ । କୋଭିଡ୍ ହସ୍ପିଟାଲରୁ କୌଣସି ସୂଚନା ଆସୁନଥିବା ଅଭିଯୋଗ ହେବାରୁ ଏପରି ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ କୋଭିଡ ହସ୍ପିଟାଲରେ କନଫରେନ୍ସ ହଲ ରହିବ । ଆଉ ଏଠାରେ ଲାଗିଥିବା ସିସିଟିଭି  ଜରିଆରେ ଆଟେଟାଂଣ୍ଡ ରୋଗୀଙ୍କ ସମ୍ପର୍କରେ ବିସ୍ତୁତ ତଥ୍ୟ ପାଇପାରିବେ । ସେମାନେ ରୋଗୀଙ୍କୁ ଦେଖିବା ସହ କଥା ବି ହୋଇପାରିବେ । ଏହାର କୌଣସି ଉଲ୍ଲଙ୍ଘନ ହେଲେ ସଂପୃକ୍ତ ହସ୍ପିଟାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ୫ଟି ମହାନଗର ନିଗମରେ ଥିବା ପ୍ରାଇଭେଟ୍ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ୫୦ ପ୍ରତିଶତ ସାଧାରଣ ବେଡ୍ ଓ ୮୦ ପ୍ରତିଶତ ଆଇସିୟୁ ବେଡ୍ ସଂରକ୍ଷିତ ରଖିବା ପାଇଁ ନିର୍ଦ୍ଦେଣ ଦିଆଯାଇଛି । ଅନ୍ୟ ଜିଲ୍ଲାରେ ମୋଟ ବେଡର ଅତି କମରେ ୧୦ ପ୍ରତିଶତ ସଂରକ୍ଷିତ ରଖିବାକୁ କୁହାଯାଇଛି ।

କରୋନାର ଆଗାମୀ ଲହର ଶିଶୁଙ୍କ ପାଇଁ  ବିପଦଜନକ ହୋଇପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ।  ଏହାକୁ ଦୃଷ୍ଟିରେ ରଖି  ଶିଶୁଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଶିଶୁଙ୍କ ସୁରକ୍ଷା ସମ୍ପର୍କରେ ତର୍ଜମା କରିବା ପାଇଁ ଡିଏମଇଟି ଓଡିଶାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏଥିରେ ୮ ଜଣ ସଦସ୍ୟ ଅଛନ୍ତି । କମିଟିରେ ପରିବାର କଲ୍ୟାଣ ନିର୍ଦ୍ଦେଶକ,  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ  ଓ ୟୁନିସେଫର ବରିଷ୍ଠ ଅଧିକାରୀ ସଦସ୍ୟ ଅଛନ୍ତି ।  ଏହି କମିଟି ଭିତିଭୂମି ପ୍ରସ୍ତୁତି , ଓ ଏସଓପି ପ୍ରସ୍ତୁତ କରି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।